ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ : ସେଲିବ୍ରିଟି ଓ ଆଙ୍କରଙ୍କ ପିଛା ଉଡ଼ିଛି ଲକ୍ଷାଧିକ

ମାରାଥନ୍‌ ଓ ରାଜ୍ୟସ୍ତରୀୟ ଉତ୍ସବରେ ଫଟୋ ଉଠା ଖର୍ଚ ୫ଲକ୍ଷ

ଭୁବନେଶ୍ୱର : ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ଆଦିବାସୀ ପଡ଼ିଆରେ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିଲେ। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ମଧ୍ୟ ଏହାକୁ ପାଳନ କରାଗଲା। ହେଲେ ଏହି ଦିବସ ପାଳିବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆଖି ଟେରା କରିଦେଲା ଭଳି ଟଙ୍କା ଖର୍ଚ କରିଛି। ରାଜ୍ୟସ୍ତରୀୟ ଉତ୍ସବ ସମେତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଏହି ଦିବସ ପାଇଁ ପ୍ରାୟ ୪କୋଟି ଟଙ୍କା ଖର୍ଚ ହୋଇଛି। ତେବେ ଏହି ଦିବସ ପାଇଁ ସେଲିବ୍ରେଟି ଓ ଆଙ୍କରଙ୍କ ପିଛା ଲକ୍ଷାଧିକ ଟଙ୍କା ସରକାର ଉଡ଼ାଇଛନ୍ତି।

ଗୋଟିଏ ପଟେ ଭିନ୍ନକ୍ଷମ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ ବା ଏସ୍‌ଆଇଡିଆର୍‌ରେ ଆବଶ୍ୟକ ପରିମାଣର ଯନ୍ତ୍ରପାତି ଉପଲବ୍ଧ ନାହିଁ। ଆବଶ୍ୟକ ସଂଖ୍ୟକ କଞ୍ଚାମାଲ ଅଭାବରୁ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ତିଆରି ହୋଇପାରୁନାହିଁ। ଅଥଚ ରାଜ୍ୟ ସରକାର ଭିନ୍ନକ୍ଷମ ଦିବସରେ କୋଟି କୋଟି ଟଙ୍କା ଖର୍ଚ କରିବାକୁ ପଛାଉ ନାହାନ୍ତି। ଯାହାକି ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସ ପାଇଁ ସମୁଦାୟ ୧କୋଟି ୨୭ଲକ୍ଷ ୨୭ହଜାର ଟଙ୍କା ଖର୍ଚ ହୋଇଛି। ସମୁଦାୟ ୨୦ଟି କ୍ଷେତ୍ରରେ ଏହି ଟଙ୍କା ଖର୍ଚ ହୋଇଥିବାର ହିସାବ ଦିଆଯାଇଛି। ଏଥିରେ ଟେଣ୍ଟ, ଷ୍ଟଲ, ଲାଇଟ, ସାଉଣ୍ଡ ଓ ଗେଟ୍‌ ପାଇଁ ୩୦ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ରାସନ ଓ କ୍ୟାଟେରିଂ ପାଇଁ ୫ଲକ୍ଷ, ପଡ଼ିଆରେ ସୁରକ୍ଷା ପାଇଁ ୫ଲକ୍ଷ ଟଙ୍କା ଖର୍ଚ ହୋଇଛି। ଷ୍ଟେଜ୍‌ ସାଜସଜ୍ଜା ଓ ଏଲଇଡି ବ୍ୟାକ୍‌ ଡ୍ରପ୍‌ ପାଇଁ ୩ଲକ୍ଷ ଟଙ୍କା ଉଡ଼ିଛି। ତେବେ ଅଂଶଗ୍ରହଣକାରୀଙ୍କ ଟିଫିନ୍‌ ଖର୍ଚ ବାବଦରେ ମନଇଚ୍ଛା ଖର୍ଚ ହୋଇଛି। ଦିବସ ପାଳନ ସମୟରେ ୩ହଜାର ଅଂଶଗ୍ରହଣକାରୀଙ୍କ ୩ଦିନର ଟିଫିନ୍‌ ଖର୍ଚ ୧ଲକ୍ଷ ୮୦ହଜାର ଟଙ୍କା ହୋଇଥିବା ବେଳେ ମାରାଥନ୍‌ରେ ଅଂଶଗ୍ରହଣକାରୀଙ୍କ ଟିଫିନ୍‌ ପାଇଁ ୨ଲକ୍ଷ ଟଙ୍କା ଖର୍ଚ ହୋଇଛି।

ସେହିପରି ଦିବସ ପାଳନ ପାଇଁ ଟି-ସାର୍ଟ ଓ କ୍ୟାପ୍‌ ପାଇଁ ୪ଲକ୍ଷ ଖର୍ଚ ହୋଇଥିବାବେଳେ ମାରାଥନ୍‌ରେ ଅଂଶଗ୍ରହଣକାରୀଙ୍କ ପାଇଁ ୬ଲକ୍ଷ ଟଙ୍କା ଟି-ସାର୍ଟ ଓ କ୍ୟାପ୍‌ ବାବଦରେ ଖର୍ଚ କରାଯାଇଛି। ବାଲୁକା କଳା ପାଇଁ ୧ଲକ୍ଷ, ଦୃଷ୍ଟିହୀନଙ୍କ କ୍ରିକେଟ୍‌ ମ୍ୟାଚ୍‌/କ୍ରୀଡ଼ା ଉତ୍ସବ ପାଇଁ ୩ଲକ୍ଷ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୫ଲକ୍ଷ ଓ ୯୦ହଜାର ଟଙ୍କାର ପାଣି ବୋତଲ କିଣାଯାଇଛି। ୩ ଦିନିଆ ଉତ୍ସବରେ ଫଟୋ ଉଠାଇବା ପାଇଁ ୫ଲକ୍ଷ ଟଙ୍କା ଖର୍ଚ ହୋଇଛି। ଦିବସ ପାଳନ ପାଇଁ ୩ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ମାରାଥନ୍‌ ସମୟରେ ଡ୍ରୋନ୍‌ କ୍ୟାମେରା ଓ ଫଟୋ ଉଠାଇବା ପାଇଁ ୨ଲକ୍ଷ ଟଙ୍କା ଖର୍ଚ କରାଯାଇଛି।

ତେବେ ମାରାଥନ୍‌ରେ ଯୋଗ ଦେଇଥିବା ସେଲିବ୍ରେଟି ଓ ଆଙ୍କରଙ୍କ ପିଛା ୧୨ଲକ୍ଷ ଟଙ୍କା ଉଡ଼ିଛି। କେତେ ଜଣ ସେଲିବ୍ରେଟି ଆସିଥିଲେ ଓ କେତେଦିନ ପାଇଁ ସେମାନଙ୍କୁ ଏହି ଟଙ୍କା ଦିଆଯାଇଛି ସେ ତଥ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ। ରାଜ୍ୟସ୍ତରୀୟ ଉତ୍ସବ ପାଇଁ ବକ୍ତତା ଓ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ୧ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ରାଜ୍ୟସ୍ତରୀୟ ପୁରସ୍କାର ବାବଦରେ ୨ଲକ୍ଷ ଓ ମାରାଥନ୍‌ରେ ମେଡାଲ ପାଇଁ ୧ଲକ୍ଷ ଟଙ୍କା ଖର୍ଚ ହୋଇଥିବା ସୂଚନା ଅଧିକାର ଆଇନରେ ଜଣାପଡ଼ିଛି।

ଅପରପକ୍ଷରେ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ ଏହି ଦିବସ ପାଳନ ପାଇଁ ସମୁଦାୟ ୨କୋଟି ୪୭ଲକ୍ଷ ଟଙ୍କା ଖର୍ଚ କରାଯାଇଛି। ଜିଲ୍ଲାସ୍ତରରେ ଏହାକୁ ପାଳନ ପାଇଁ ୩ଲକ୍ଷ ଟଙ୍କା ଓ ବ୍ଲକ୍‌ସ୍ତରରେ ୫୦ହଜାର ଟଙ୍କା ଖର୍ଚ ହୋଇଛି। ମୟୂରଭଞ୍ଜ ଜିଲ୍ଲା ପାଇଁ ସର୍ବାଧିକ ୧୬ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହା ପଛକୁ ରହିଛି ଗଞ୍ଜାମ। ଏହି ଜିଲ୍ଲା ପାଇଁ ୧୪ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ସେହିପରି ସୁନ୍ଦରଗଡ଼ ପାଇଁ ୧୧ଲକ୍ଷ ୫୦ହଜାର, ବଲାଙ୍ଗୀର, କୋରାପୁଟ ଓ କଟକ ଜିଲ୍ଲା ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ଆବେଦନକାରୀ ଏହି ସମସ୍ତ ଖର୍ଚ ପାଇଁ ବିଲ୍‌ ଦେବାକୁ ସୂଚନା ଆଇନ୍‌ରେ ମାଗିଥିଲେ ହେଁ ତାଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର