ରାଜ୍ୟସ୍ତରୀୟ କୁଷ୍ଠ ନିରାକରଣ ଦିବସ : କୁଷ୍ଠ ପ୍ରତି ସାମାଜିକ ବାଛବିଚାର ଦୂର କରିବାକୁ ରାଜ୍ୟପାଳଙ୍କ ଆହ୍ବାନ

ଭୁବନେଶ୍ବର : ରୋଗର ଉପଶମ ପାଇଁ ଔଷଧ ଯେତିକି ଆବଶ୍ୟକ, ତା’ଠାରୁ ବେଶି ଦରକାର ସ୍ନେହ ଓ ଶ୍ରଦ୍ଧା। ଏହା ପ୍ରତ୍ୟେକ ରୋଗୀ ପାଇବା ନିତାନ୍ତ ଆବଶ୍ୟକ। ଏଥିପାଇଁ ଅନୁକୂଳ ପରିବେଶ ନିର୍ମାଣ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି। ଆଜି ହିନ୍ଦ କୁଷ୍ଠ ନିବାରଣ ସଂଘ ପକ୍ଷରୁ କୁଷ୍ଠ ନିରାକରଣ ଦିବସ ଉପଲକ୍ଷେ ରାଜଭବନ ପରିସରରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଲେ, କୁଷ୍ଠ ରୋଗ ପ୍ରତି ଥିବା ଭ୍ରାନ୍ତି ତଥା ସାମାଜିକ ବାଛ ବିଚାରମୂଳକ ମନୋଭାବରେ ପରିବର୍ତନ ଆବଶ୍ୟକ।। ଈଶ୍ବରୀୟ ଚେତନାରେ ଅନୁପ୍ରାଣିତ ହୋଇ ରୋଗୀମାନଙ୍କ ସେବା ଓ ସାମାଜିକ ଥଇଥାନ ପାଇଁ ସମସ୍ତେ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଲେ, ଦେଶରୁ କୁଷ୍ଠର ସଂପୂର୍ଣ୍ଣ ନିବାରଣ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ନିତେନ ଚନ୍ଦ୍ର, ସ୍ବାସ୍ଥ୍ୟ ସଚିବ ଡା. ପି.କେ ମେହେର୍ଦା, ହିନ୍ଦ୍ କୁଷ୍ଠ ନିବାରଣ ସଂଘର ଅବୈତନିକ ସଚିବ ଏସ୍‌.ପି ପାଢ଼ୀ ପ୍ରମୁଖ ରାଜ୍ୟରେ କୁଷ୍ଠ ରୋଗର ସ୍ଥିତି ଓ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଶେଷରେ କୃଷ୍ଠ ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର