ବୁଣାକାରଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ

ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହ

ଭୁବନେଶ୍ୱର: କୃଷି ପରେ ହସ୍ତତନ୍ତ କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି ସୁଯୋଗ ରହିଛି। ରାଜ୍ୟର କଳା, ସଂସ୍କୃତି ଓ ଆଧ୍ୟାତ୍ମିକତା ହସ୍ତତନ୍ତ ଦ୍ୱାରା ବିଶ୍ୱ ବନ୍ଦନୀୟ ହୋଇପାରିଛି। ହସ୍ତତନ୍ତ ଓ ବୟନଶିଳ୍ପରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ପାଲଟିଛି। ଏହାର ବିକାଶ ଦିଗରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ବରଗଡ଼ ନିକଟସ୍ଥ ବାଲିଜୁରୀଠାରେ ‘ବୁଣାକାର ବଜାର’ ସ୍ଥାପନ ପାଇଁ ଯୋଜନା ହୋଇଛି। ଏଥିପାଇଁ ୧୦କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ଆଜି ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀମତୀ ଛୁରିଆ କହିଲେ, ରାଜ୍ୟରେ ୪୦ହଜାର ୬୮୩ ବୁଣାକାର ପରିବାର ଥିବା ବେଳେ ୧ଲକ୍ଷ ୯୨ହଜାର ୩୩୯ ବୁଣାକାର ଏହି କୌଳିକ ବୃତ୍ତିରେ ନିୟୋଜିତ ଅଛନ୍ତି। ହସ୍ତତନ୍ତ ଓ ହସ୍ତଶିଳ୍ପର ବିକାଶ ପାଇଁ ‘ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ’ ପରିଷଦ ଗଠନ କରାଯାଇଛି। ବୁଣାକାରଙ୍କୁ ରିହାତି ଦରରେ ଋଣ ଦିଆଯାଉଛି। ୫୫୫ ବରିଷ୍ଠ ବୁଣାକାରଙ୍କୁ ସରକାରୀ ସହାୟତା ଦିଆଯାଇଛି। ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଛି। ବୁଣାକାରଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଙ୍କୁ ବଜାର ସହିତ ଯୋଡ଼ିବା ପାଇଁ ଜିଲ୍ଲାସ୍ତରରେ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ପ୍ରତିବର୍ଷରୁ ୫୦ରୁ ଅଧିକ ପ୍ରଦର୍ଶନୀ ବିଭିନ୍ନ ଜିଲ୍ଲାରେ କରାଯାଉଛି। ସେହିପରି ଇ-ମାର୍କେଟିଂର ସୁବିଧା ମଧ୍ୟ ବୁଣାକାରଙ୍କୁ ମିଳିଛି। ଯାହାଦ୍ୱାରା ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ସିଧାସଳଖ ବିକ୍ରି କରିବାର ସୁଯୋଗ ପାଇପାରୁଛନ୍ତି ବୋଲି ଶ୍ରୀମତୀ ଛୁରିଆ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୭୫ବର୍ଷ ଧରି ରାଜ୍ୟରେ ବୁଣାକାର ସେବାରେ ନିୟୋଜିତ ୩ଟି ତନ୍ତୁବାୟ ସହଯୋଗ ସମିତିକୁ ଲକ୍ଷେ ଟଙ୍କା ପ୍ରଦାନ କରାଯାଇଥିଲା। ଏହାସହ ରାଜ୍ୟ ହସ୍ତତନ୍ତ ‘ବୟନ’ ପୁରସ୍କାର, ରାଜ୍ୟ ହସ୍ତତନ୍ତ ‘ବାନ୍ଧକଳା’ ପୁରସ୍କାର ଓ ରାଜ୍ୟ ହସ୍ତତନ୍ତ ‘ଡିଜାଇନ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭାଗୀୟ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୟନ ଶିଳ୍ପ ନିର୍ଦେଶକ ସୁଶାନ୍ତ କୁମାର ବାରିକ ଧନ୍ୟବାଦ ଦେଇଥିଲେ। ବୟନିକାର ସଭାପତି ଶେଷ କୁମାର ମେହେର, ପରିଚାଳନା ନିର୍ଦେଶକ ରବୀନ୍ଦ୍ର ନାଥ ସାହୁ, ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ। ଜୟଦେବ ଭବନ ପରିସରରେ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ହସ୍ତତନ୍ତ ବସ୍ତ୍ରର ଏକ ସ୍ୱତନ୍ତ୍ର ‘ବସ୍ତ୍ର ପ୍ରଦର୍ଶନୀ’ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର