ରାଜ୍ୟସ୍ତରୀୟ ରେଳବାଇ ନିରାପତ୍ତା ବୈଠକ : ଷ୍ଟେସନ୍ ଓ ନିର୍ଦିଷ୍ଟ ଟ୍ରେନ୍ରେ ଲାଗିବ ସିସିଟିଭି
ଯାତ୍ରୀ ଓ ଟ୍ରେନ୍ ସୁରକ୍ଷାକୁ ଗୁରୁତ୍ୱ
ଭୁବନେଶ୍ୱର : ଟ୍ରେନ୍ରେ ଯାତ୍ରା ସମୟରେ ଯାତ୍ରୀ ଓ ଟ୍ରେନ୍ ସୁରକ୍ଷା ନେଇ ଓଡ଼ିଶା ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରେଳଷ୍ଟେସନ୍ଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଷ୍ଟେସନ୍ର ଉଭୟ ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ୟାଗେଜ୍, ସ୍କାନର୍, ସିସିଟିଭି ଲଗାଯିବ। ସେହିପରି କେତେକ ନର୍ଦିଷ୍ଟ ଟ୍ରେନ୍ରେ ସିସିଟିଭି ଲଗାଯିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।
ଆଜି ଡିଜି କ୍ୟାମ୍ପ ଅଫିସଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ରେଳବାଇ ନିରାପତ୍ତା ବୈଠକରେ ଡିଜି ଶ୍ରୀ ଶର୍ମା ଯୋଗଦେଇ କହିଛନ୍ତି, ନିୟମିତ ବ୍ୟବଧାନରେ ଷ୍ଟେସନ୍ଗୁଡ଼ିକରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବ। ଏହା ସହିତ ସରକାରୀ ରେଳବାଇ ଥାନା(ଜିଆର୍ପି)କୁ ଭିିତ୍ତିଭୂମି ଯୋଗାଇ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ କୁହାଯାଇଛି ଯେ, ରେଳରୋକ ବେଆଇନ୍ ହୋଇଥିବାରୁ ଏଣିକି ଧର୍ମଘଟ ନାମରେ ରେଳରୋକ କରୁଥିବା ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆର୍ପିଏଫ ପକ୍ଷରୁ ମାମଲା ରୁଜୁ କରାଯିବ। ସେହିପରି ଓଡ଼ିଶା ଦେଇ ଅତିକ୍ରମ କରିଥିବା ରେଳପଥରେ ଘଟୁଥିବା ଆଇନଶୃଙ୍ଖଳା, ସଂଗଠିତ ଅପରାଧ, ବିପର୍ଯ୍ୟୟ ପରିଚାଳନା, ନକ୍ସଲ କାର୍ଯ୍ୟକଳାପ, ରେଳପଥର ନିରାପତ୍ତା ଏବଂ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଜଣେ ଯାତ୍ରୀ ଯେକୌଣସି ରେଳବାଇ ଥାନାରେ ଅଭିଯୋଗ କଲେ ଘଟଣା ଯେଉଁ ଥାନା ଅଞ୍ଚଳରେ ଘଟିଛି ସେଠାକୁ ପ୍ରତ୍ୟକ୍ଷ ଭାବେ ସ୍ଥାନାନ୍ତର କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି।
ସେହିପରି ବିପର୍ଯ୍ୟୟ ପରିଚାଳନା ନେଇ ଜିଆର୍ପି, ଆର୍ପିଏଫ, ଅଗ୍ନିଶମ, ଡାକ୍ତରୀ ଦଳ, ଓଡ୍ରାଫ ଟିମ, ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ନେଇ ଗଠିତ କମିଟି କିଭଳି ସେମାନଙ୍କ ସୂଚନା ଆଦାନପ୍ରଦାନ କରିବେ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରେଳବାଇ ଥାନାଗୁଡ଼ିକର ଲୋକବଳ ବୃୃଦ୍ଧି, ନୂତନ ରେଳପଥରେ ଥାନା ପ୍ରତିଷ୍ଠା କରାଯିବାକୁ ଆଲୋଚନା ହୋଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଥିବା ରେଳପଥ ଉପରେ ନିୟମିତ ପାଟ୍ରୋଲିଂ ଓ ଏହାକୁ ଠିକ ଭାବେ ଜଗାରଖା କରିବା ଲାଗି ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ପୂର୍ବତନ ରେଳବାଇ ଅତିରିକ୍ତ ମହାନିର୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଓଡ଼ିଶା ଦେଇ ଯାଇଥିବା ତିନିଟି ରେଳପଥର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ପୂର୍ବତଟ ରେଳବାଇର ଆଇଜି ଅତୁଲ ପାଠକ, ଦକ୍ଷିଣ ପଶ୍ଚିମ ରେଳପଥର ଆଇଜି ଏସସି ପାଢ଼ୀ, ଦକ୍ଷିଣ ପଶ୍ଚିମ କେନ୍ଦ୍ର ରେଳପଥର ଆଇଜି ଆର ଏସ ଚୌହାନ, ଗୁଇନ୍ଦା ଆଇଜି ଆର କେ ଶର୍ମା, ଗୁଇନ୍ଦାବ୍ୟୁରୋର ଯୁଗ୍ମ ଉପନିର୍ଦେଶକ ପି କେ ସେଠୀ ଏବଂ ରେଳବାଇ ଏସପି ବି ବି ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।