ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ: ୨୦୧୯ ସୁଦ୍ଧା ପରୀକ୍ଷା ହେବ ୭ ଲକ୍ଷ ମାଟି ନମୁନା

ଅନୁଗୁଳ, କେନ୍ଦୁଝର, ବଲାଙ୍ଗୀର ପାଇଁ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର

ଭୁବନେଶ୍ୱର: ମୃତ୍ତିକାର ସ୍ୱାସ୍ଥ୍ୟ ଓ ଉର୍ବରତା ଠିକ୍‌ ନ ରହିଲେ ମାନବ ସମାଜ ତିଷ୍ଠି ରହିପାରିବ ନାହିଁ। ମାଟିର ଗୁରୁତ୍ୱକୁ ଉପଲବ୍ଧି କରି ଏହାର ଉପଯୁକ୍ତ ସଂରକ୍ଷଣ କରାଯିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମୃତ୍ତିକାର ପରୀକ୍ଷା କରାଯାଇ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ହେଉଛି। ୨୦୧୫-୧୬ ଏବଂ ୨୦୧୬-୧୭ ଆର୍ଥିକ ବର୍ଷରେ ୬,୬୮,୬୩୫ଟି ମୃତ୍ତିକା ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୬,୮୦,୨୨୨ଟି ନମୁନା ସଂଗ୍ରହ କରାଯାଇଛି। ୬,୬୭,୩୪୫ଟି ମାଟିର ପରୀକ୍ଷା ହୋଇଛି। ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ୬,୭୧,୭୭୦ଟି ମାଟି ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡ. ଦାମୋଦର ରାଉତ କହିଛନ୍ତି।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଓୟୁଏଟି ପରିସରରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ରାଉତ କହିଲେ, ରାଜ୍ୟର ୨୭ଟି ଜିଲ୍ଲାରେ ମୃତ୍ତିକା ପରୀକ୍ଷାଗାର କାର୍ଯ୍ୟ କରୁଛି। ୧୪ଟି ଜିଲ୍ଲାରେ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ମଧ୍ୟ ରହିଛି। ଚାଷୀମାନେ ମିଶ୍ରିତ ଫସଲ, ଅନ୍ତଃ ଫସଲ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥିସହ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି ଉତ୍ପାଦନ ବୃଦ୍ଧି କରିବା ପାଇଁ କୃଷି ବୈଜ୍ଞାନିକ, କୃଷକ ଓ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦେଶକ ସୁଜାତା କାର୍ତ୍ତିକେୟନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ମାଟିରୁ ଉତ୍ପାଦିତ ହେଉଥିବା ୯୫% ଖାଦ୍ୟ ସାମଗ୍ରୀରୁ ପୃଷ୍ଟିସାର ମିଳେ। ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପଡ଼ିବ। ଏବେବି ଓଡ଼ିଶାର କେତେକ ସ୍ଥାନରେ ପାରମ୍ପରିକ ପଦ୍ଧତିରେ ଚାଷ ହେଉଛି। ଏହାକୁ ବଞ୍ଚାଇ ରଖିବାକୁ ସେ ଆହ୍ଵାନ ଦେଇଥିଲେ।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ମାଟି ବିଷାକ୍ତ ହେଉଛି। ଏହାକୁ ରୋକିବା ଲାଗି ଅର୍ଗାନିକ୍‌ ଫାର୍ମିଂ, ବିଭିନ୍ନ କିସମର ଫସଲ କରିବା, ମାଟି ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଉଦ୍ୟାନ କୃଷି ନିର୍ଦେଶକ ଡ. ଏମ୍‌ ମୁଥୁକୁମାର ସ୍ୱାଗତ ଭାଷଣ ଦେଇ ପାରମ୍ପରିକ ଚାଷ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦ୍‌ଘାଟିତ ହେବା ସହ ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ନୂତନ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଲୋକର୍ପିତ ହୋଇଥିଲା। ୧୦ ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର