ଏଯାଏ ୧କୋଟି ଶିଶୁ ନେଇ ସାରିଲେଣି ଟିକା

ରାଜ୍ୟରେ ଏମ୍‌ଆର ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଗତମାସଠାରୁ ଆରମ୍ଭ ହୋଇଥିବା ମିଜିଲ୍‌ସ ରୁବେଲା ଟିକାକରଣକୁ ଇତିମଧ୍ୟରେ ୧୯ଦିନ ପୂରିଛି। ଆଉ ଏହି ୧୯ଦିନ ମଧ୍ୟରେ ରାଜ୍ୟରେ ୧ କୋଟି ୧ଲକ୍ଷ ୭୩ହଜାର ୫୪୫ଜଣ ଶିଶୁଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ୭୦ହଜାର ୩୬୭ ସ୍କୁଲରେ ଏହି ଟିକାକରଣ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବ୍ରଜ କିଶୋର ବ୍ରହ୍ମା କହିଲେ, ରାଜ୍ୟରେ ଏମ୍‌ଆର ଟିକାକରଣ ପାଇଁ ୪୭ହଜାର ୬୮୯ ଆଶା କର୍ମୀ, ୭୧ହଜାର ୧୨୯ ଅଙ୍ଗନବାଡ଼ି କର୍ମୀ ଓ ୮୬୬୫ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଜିଲ୍ଲାସ୍ତରରେ ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତ କରାଯାଇଛି। ଚଳିତମାସ ୧୭ତାରିଖରେ ସ୍କୁଲ ସ୍ତରରେ ଟିକାଦାନ ଶେଷ ହୋଇଥିବା ବେଳେ ୧୯ତାରିଖରୁ ଗୋଷ୍ଠୀ ସ୍ତରରେ ଟିକାଦାନ ଆରମ୍ଭ ହୋଇଛି, ଯାହାକି ଆସନ୍ତା ମାର୍ଚ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ପର୍ଯ୍ୟନ୍ତ ୩୭ହଜାର ୧୬୦ ଗୋଷ୍ଠୀସ୍ତରରେ ଏହି ଟିକା ଦିଆଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ରାଜ୍ୟରେ ଏମ୍‌ଆର ଟିକାକରଣ ଚାଲୁଥିବାରୁ ଆସନ୍ତା ଏପ୍ରିଲ ଓ ମେ’ମାସରେ ପୋଲିଓ ସେବନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଟିକାକରଣ ଅଧିକାରୀ ଡା.କମଳାକାନ୍ତ ଦାସ, ଉପ-ନିର୍ଦେଶକ ଡା.ତାପସ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର