Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ନର୍ମଦା ଢାଞ୍ଚାରେ ମହାନଦୀ ସୁରକ୍ଷା

ନଦୀର ଉଭୟ ପାର୍ଶ୍ୱରେ ଏକ କିଲୋମିଟର ଓସାରରେ ବନୀକରଣ

0 163

ଭୁବନେଶ୍ୱର : ଜଳସଂପଦ ବିଭାଗକୁ ପଛକୁ ଠେଲି ଜଙ୍ଗଲ ଓ ପରିବେଶ ବିଭାଗ ମହାନଦୀର ସୁରକ୍ଷା ଲାଗି ଅଣ୍ଟା ଭିଡିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ପ୍ରକଳ୍ପ ନିର୍ମାଣ କରିବା ଯୋଗୁଁ ଯେଉଁ ଜଳାଭାବ ଦେଖାଦେଇଛିି, ତାହାକୁ ଦୂର କରିବା ଲାଗି ଜଙ୍ଗଲ ବିଭାଗ ନର୍ମଦା ସେବା ମିସନ ଢାଞ୍ଚା ଆପଣାଇବ। ଅର୍ଥାତ୍‌ ହୀରାକୁଦରୁ ସମୁଦ୍ର ମୁହାଣ ଯାଏ ନଦୀର ଉଭୟ ପାର୍ଶ୍ୱରେ ୧ କିଲୋମିଟର ଓସାର ଅଞ୍ଚଳକୁ ବନୀକରଣ କରାଯିବ। କେବଳ ସେତିକି ନୁହେଁ, ମହାନଦୀରେ ପଡିଥିବା ସମସ୍ତ ଉପନଦୀ ଓ  ମହାନଦୀରୁ ବାହାରିଥିବା ସମସ୍ତ ନଦୀ କୂଳରେ ମଧ୍ୟ ସମାନ ଢାଞ୍ଚାରେ ବନୀକରଣ ହେବ।  ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକୁ ହାତକୁ ନେବେ ସରକାର। ଗତକାଲି ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଜନାର ରୂପରେଖ ପ୍ରସ୍ତୁତ ହେବା ପରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଲେ, ମହାନଦୀ ହେଉଛି ଓଡ଼ିଶାର ଜୀବନଧାରା। ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ ବାନ୍ଧିବା ଦ୍ୱାରା ଏବେ ମହାନଦୀରେ ୫୦ ପ୍ରତିଶତରୁ ଅଧିକ ଜଳପ୍ରବାହ କମିଯାଇଛି। ଚଳିତବର୍ଷ ଏହାର ସାଂଘାତିକ ପ୍ରଭାବ ସମସ୍ତେ ଉପଲବ୍ଧି କରିଛନ୍ତି। ଏପରି ପରିସ୍ଥିତିରେ ମହାନଦୀର ସୁରକ୍ଷା ଜରୁରି ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ୫୦୦ କିଲୋମିଟର ଦୀର୍ଘ ମହାନଦୀର ଉଭୟ ପାର୍ଶ୍ୱରେ ବ୍ୟାପକ ବନୀକରଣ କରିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ କିଲୋମିଟର ଯାଏ ଆସନ୍ତାବର୍ଷ ବନୀକରଣ କରିବାକୁ ଯୋଜନା କରାଯାଇଛି।

ନର୍ମଦା ନଦୀ ଉଦାହରଣ ଦେଇ ମନ୍ତ୍ରୀ କହିଲେ, ମହାନଦୀ ଭଳି ସେଠାରେ ବି ଜଳାଭାବ ସ୍ଥିତି ସୃଷ୍ଟି ହୋଇଛି। ସେଠାକାର ସରକାର ନର୍ମଦା ସେବା ମିସନ ଆରମ୍ଭ କରି ଏହି ନଦୀର ସୁରକ୍ଷା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିକଟରେ ଜଙ୍ଗଲ ବିଭାଗ ପକ୍ଷରୁ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଯାଇଥିଲା ଓ ସେମାନେ ଏକ ବିସ୍ତତ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟକୁ ବିଭାଗ ତର୍ଜମା କରିବା ପରେ ସ୍ଥିର ହୋଇଛି ଯେ ମହାନଦୀର ଉଭୟ ପାର୍ଶ୍ୱରେ ଏକ କିଲୋମିଟର ଓସାର ଯାଏ ବନୀକରଣ କରାଯିବ। ଯେଉଁସବୁ ଅଞ୍ଚଳରେ ଘରୋଇ ଜମି ରହିଛି, ସେକ୍ଷେତ୍ରରେ ସଂପୃକ୍ତ ଜମି ମାଲିକଙ୍କୁ ଧାନ ଆଦି ଚାଷରୁ ନିବୃତ୍ତ କରାଇ ଉଦ୍ୟାନ କୃଷି ବିଭାଗ ସହାୟତାରେ ବିଭିନ୍ନ ଫଳଚାଷ ପାଇଁ ପ୍ରବର୍ତାଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତାବର୍ଷ ୩ କୋଟି ଚାରା ରୋପଣ ପାଇଁ ସ୍ଥିର ହୋଇଛି। ଏନେଇ ଏବେଠାରୁ ନର୍ସରୀ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବନ ସୁରକ୍ଷା ସମିତି, ସ୍ୱେଚ୍ଛାସେବୀ ସଂଗଠନକୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ। ଏଥିପାଇଁ କାମ୍ପା ଯୋଜନା, ମନରେଗା ଆଦି ଯୋଜନାରୁ ଅର୍ଥ ନିଆଯିବ ଓ ରାଜ୍ୟ ସରକାରଙ୍କ ଉପରେ ବିଶେଷ କୌଣସି ବୋଝ ପଡିବ ନାହିଁ।

ଏଭଳି ବନୀକରଣର ପ୍ରଭାବ ଆସନ୍ତା ୫ବର୍ଷରେ ପଡିବ। ବିଶେଷକରି ନଦୀରେ ନିରନ୍ତର ଜଳପ୍ରବାହ ରହିବ ଓ ମହାନଦୀ ଶୁଷ୍କ ହେବ ନାହିଁ। ଏହାଦ୍ୱାରା ଭୂତଳରେ ମଧ୍ୟ ପ୍ରଚୁର ପରିମାଣରେ ଜଳ ସଂରକ୍ଷଣ ରହିପାରିବ।

ସେହିଭଳି ପରବର୍ତୀ ପର୍ଯ୍ୟାୟ ରେ ମହାନଦୀରେ ପଡିଥିବା ଓ ମହାନଦୀରୁ ବିଭିନ୍ନ ସ୍ଥାନରେ ବାହାରିଥିବା ନଦୀ ଅର୍ଥାତ୍‌ ଜିରା, ଅଙ୍ଗ, ହରିଆରଜୋର, ଜଙ୍କ, ସୁକତେଲ୍‌,ଲାଣ୍ଟ ନଦୀ, ଚିଲନ ନଦୀ, ସୁନ୍ଦର, ଇନ୍ଦ୍ର, ଉଦନ୍ତି, ତେଲ, ବନଜାରି, ମୋଟର ନଦୀ, ହାତୀ, ପିପି, ବାଘ, କରାଣ୍ଡି ଜୋର, ସାଲ୍‌କି ନଦୀ, ବୃତ୍ତଙ୍ଗ ନଦୀ, ଡାହୁକା, କମାଇ, ରଣା ନଦୀ, ଦୟା ନଦୀ, କୁଶଭଦ୍ରା ନଦୀ, ଦେବୀ ନଦୀ, ହାଡୁଆ, ସାପୁଆ,  କାଠଯୋଡି, ଲୁଣା, ଚିତ୍ରୋତ୍ପଳା, ଗୋବରି ଓ ହଂସୁଆ ନଦୀର ଉଭୟ  ପାର୍ଶ୍ୱକୁ ମଧ୍ୟ ବନୀକରଣ କରାଯିବ। ଏହାଦ୍ୱାରା ନଦୀ ଗର୍ଭ ଯେଭଳି ମାଟି ପୋତି ହୋଇଯାଉଛି ତାକୁ ରୋକାଯାଇପାରିବ ଓ ଭଲ ବର୍ଷା ପାଇଁ ବାଟ ଖୋଲିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଖୁବ୍‌ଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବ ଓ କେଉଁଠାରୁ ଓ ନିର୍ଦିଷ୍ଟ କେବେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ପ୍ରକାଶଥାଉକି, ମହାନଦୀ ମହାବିବାଦ ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର ସମ୍ମତି ଜଣାଇଛନ୍ତି। ଏହାର ଫଳ କେବେ ମିଳିବ ତାହା ଆକଳନ କରିବା ମୁସ୍କିଲ। ହେଲେ ନଦୀ ପ୍ରତି ବଢିଥିବା ବିପଦକୁ ଦୂର କରିବା ଲାଗି ନା କେନ୍ଦ୍ର ନା ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ ଏଯାଏ ଠୋସ୍‌ ପଦକ୍ଷେପ ନେଇନାହାନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

three × three =