ବିଭୂତି ଦାସ ସଭାପତି, ରବିନାରାୟଣ ଶତପଥୀ ପୁନର୍ବାର ସଂପାଦକ ନିର୍ବାଚିତ

ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ନିର୍ବାଚନ

ଖୁଣ୍ଟୁଣୀ : ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ୨୦୧୯-୨୧ ବାର୍ଷିକ ସାଧାରଣ ନିର୍ବାଚନ ଆଜି ଖୁଣ୍ଟୁଣୀସ୍ଥିତ ଟ୍ରକ ମାଲିକ ସଂଘ ଆଠଗଡ଼ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ମୋଟ ୧୯ଟି ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତନ୍ମଧ୍ୟରୁ ୧୫ଟି ପଦବି ପାଇଁ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ପ୍ରକାଶ। ଆଜିର ଏହି ନିର୍ବାଚନରେ ବର୍ତ୍ତମାନର ସଭାପତି ଥିବା ବିଭୂତି ପ୍ରସାଦ ଦାସ ତାଙ୍କ ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ବୀ ଦିଲ୍ଲୀପ କୁମାର ପାଣିଙ୍କୁ ପରାସ୍ତ କରି ପୁନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବୀରେନ୍ଦ୍ର କୁମାର ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ରଂଜିତ କୁମାର ପଣ୍ଡାଙ୍କୁ ହରାଇ ପୁନର୍ବାର କାର୍ଯ୍ୟକାରୀ ସଭାପତି, ବର୍ତ୍ତମାନର ସଂପାଦକ ରବିନାରାୟଣ ଶତପଥୀ ପ୍ରତିଦ୍ବନ୍ଦ୍ବୀ ପ୍ରଣବ କୁମାର ପରିଜାଙ୍କୁ ପରାସ୍ତ କରି ପୁନର୍ବାର ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ସେହିପରି ପୂର୍ବାଞ୍ଚଳ ଜୋନ୍‌ ଉପସଭାପତି ପାଇଁ ସୁମନ୍ତ କୁମାର ବିଶ୍ବାଳ, ରାଜ୍ୟ ଟ୍ରକ ମାଲିକ ମହାସଂଘ କୋଷାଧ୍ୟକ୍ଷ ଭାବେ ଅନାମ ଚରଣ ପ୍ରଧାନ, କେନ୍ଦ୍ରୀୟ ଜୋନ୍ ଉପସଭାପତି ରାଜୀବ ଜେନା, ଉତ୍ତରାଞ୍ଚଳ ଜୋନ୍ ଉପସଭାପତି ରମାକାନ୍ତ ନାୟକ, ପଶ୍ଚିମାଞ୍ଚଳ ଜୋନ ଉପସଭାପତି ପ୍ରମୋଦ କୁମାର ଜେନା, ଜୋନ୍ ସଂପାଦକ ଭାବେ କେନ୍ଦ୍ରୀୟ ଜୋନ୍‌ ଅକ୍ଷୟ କୁମାର ସାମଲ, ପୂର୍ବାଞ୍ଚଳ ଜୋନ୍ ପ୍ରଶାନ୍ତ କୁମାର ପ୍ରଧାନ, ପଶ୍ଚିମାଞ୍ଚଳ ଜୋନ୍ ରାଜେନ୍ଦ୍ର ପ୍ରସାଦ ସିଂହ, ଉତ୍ତରାଞ୍ଚଳ ଜୋନ୍ ନରେନ୍ଦ୍ର ବିହାରୀ ଦାସ, ଦକ୍ଷିଣାଞ୍ଚଳ ଜୋନ୍ ନରେନ୍ଦ୍ର କୁମାର ମହାନ୍ତି ଜୋନ ସଂପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିପରୀ ୫ଟି ଜୋନର ଯୁଗ୍ମ ସଂପାଦକ ଭାବେ ମହମ୍ମଦ ସୌକତ (କେନ୍ଦ୍ରୀୟ ଜୋନ), ବିଭୂତି ଭୂଷଣ ଜେନା (ପୂର୍ବାଞ୍ଚଳ ଜୋନ), ଜଗଦୀଶ ଜୟିଶ୍ବାଲ (ପଶ୍ଚିମାଞ୍ଚଳ), ତରଣୀସେନ ମହାପାତ୍ର (ଉତ୍ତରାଞ୍ଚଳ), କାଳିଚରଣ ସ୍ବାଇଁ (ଦକ୍ଷିଣାଞ୍ଚଳ ଜୋନ) ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ନରେନ୍ଦ୍ର କୁମାର ସାହୁ ଓ ଯୁବ ଆଇନଜୀବୀ ବିଷ୍ଣୁ ପ୍ରସାଦ ଓଝା ନିର୍ବାଚନ ଅଧିକାରୀ ଭାବେ ‌ଯୋଗ ଦେଇ ନିର୍ବାଚନକୁ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ୫ଟି ଜୋନରେ ଥିବା ୩୯ଟି ସଂଘର ୧୮୨ ଜଣ କାର୍ଯ୍ୟକର୍ତ୍ତା ନିର୍ବାଚନରେ ସାମିଲ ହୋଇ ଭୋଟ ପ୍ରଦାନ କରିଥିଲେ। ଭୋଟ ଗଣତି ଓ ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ନୂତନ କର୍ମକର୍ତ୍ତାମାନଙ୍କୁ ଖୁଣ୍ଟୁଣୀ ମାଲିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ପରେ ସମୂହ ଶପଥ ପାଠ ଉତ୍ସବ ଅନୁ‌ଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର