ରାଜ୍ୟର ୪୦ ପ୍ରତିଶତ ଡେଙ୍ଗୁ ଆକ୍ରାନ୍ତ ରାଜଧାନୀରେ

ଚଳିତବର୍ଷ ଭାଇଜାଗ୍‌ରୁ ଆସିଛି ଡେଙ୍ଗୁ ଭୂତାଣୁ, ଆସନ୍ତା ୨ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଯେତିକି ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି, ତାହାର ୪୦ପ୍ରତିଶତ ରହିଛନ୍ତି ରାଜଧାନୀରେ। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ଆରମ୍ଭରୁ ଗତ ୨୯ତାରିଖ ସୁଦ୍ଧା ରାଜ୍ୟରେ ୫୪୨୭ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ହେଇଥିଲା, ତହିଁରୁ ୭୧୨ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିରୁ ଖୋର୍ଧା ଜିଲ୍ଲାରେ ୨୯୨ଜଣ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ୨୭୫ଜଣଙ୍କୁ ଚିହ୍ନଟ କରାଯାଇଛି। ଏହା ମଧ୍ୟରୁ ବିଏମ୍‌ସି ବାହାରେ ମାତ୍ର ୧୭ଜଣ ଚିହ୍ନଟ ହୋଇଛନ୍ତି। ସେଥିରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସର୍ବାଧିକ ୧୯୧ଜଣ, ନୂଆପଲ୍ଲୀ ଓ ଆଇଆର୍‌ସିରେ ୬୦, ମଞ୍ଚେଶ୍ୱରରେ ୫ଜଣ ଓ ଅନ୍ୟାନ୍ୟ ଅଞ୍ଚଳରେ କମ୍‌ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି। ଗତବର୍ଷ ପଶ୍ଚିମବଙ୍ଗରୁ ଡେଙ୍ଗୁ ଭୂତାଣୁ ଆସିଥିବା ବେଳେ ଚଳିତବର୍ଷ ଡେଙ୍ଗୁ ଭୂତାଣୁ ଭାଇଜାଗ୍‌ରୁ ଆସିଛି। ରାଜ୍ୟର ଅନେକ ଲୋକ ଭାଇଜାଗ୍‌ରେ କାମ କରୁଛନ୍ତି। ସେଠାରେ ଚିକିତ୍ସା ଖର୍ଚ ମଧ୍ୟ ଯଥେଷ୍ଟ ଅଧିକ। ତେଣୁ ଜ୍ୱରରେ ଆକ୍ରାନ୍ତ ହେବା ପରେ ସେମାନେ ଓଡ଼ିଶା ଚାଲି ଆସୁଛନ୍ତି। ଫଳରେ ରାଜ୍ୟରେ ଡେଙ୍ଗୁ ବ୍ୟାପୁଛି। ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ। ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି। ଫଗିଂ ସମେତ ମଶାର ଉତ୍ସକୁ ନଷ୍ଟ କରିବା, ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ଗୋଷ୍ଠୀର ସହଭାଗୀତା ଉପରେ ଗୁରୁତ୍ୱ ଦିଆଯାଇଛି। ଡେଙ୍ଗୁ ରୋଗ ପାଇଁ କୌଣସି ଔଷଧ ନ ଥିବାରୁ ଜ୍ୱର କିମ୍ବା ପ୍ଲେଟଲେଟ୍‌ କମିଥିବା ଲୋକକୁ ସେହି ଅନୁଯାୟୀ ଚିକିତ୍ସା କରାଯାଇଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର