‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଅକ୍ଟୋବର ୩୧ରେ ଲୋକାର୍ପିତ ହେବ

୨୩୩୨ କୋଟିରେ ନିର୍ମାଣ ହୋଇଛି ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି

ଭୁବନେଶ୍ବର :ଗୁଜୁରାଟର ସାଧୁ ଦ୍ବୀପରେ ନିର୍ମାଣ ହୋଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର (୬୦୦ ଫୁଟର) ପ୍ରତିମୂର୍ତ୍ତିକୁ ଆସନ୍ତା ୩୧ ତାରିଖରେ ଲୋକାର୍ପିତ କରାଯିବ। ଏହା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ହୋଇଥିବାବେଳେ ଏହାକୁ ଷ୍ଟାଚ୍ୟୁ ଅଫ୍ ୟୁନିଟି (ଏକତା ପ୍ରତିମୂର୍ତ୍ତି) କୁହାଯାଉଛି। ପ୍ରାୟ ୨୩୩୨କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩୧ତାରିଖରେ ଉଦ୍‌ଘାଟନ କରିବେ ବୋଲି ଗୁଜୁରାଟ ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ (ଶ୍ରମ ଓ ନିଯୁକ୍ତି) ଦିଲ୍ଲୀପ କୁମାର ଠାକୋର କହିଛନ୍ତି।

ଆଜି ଏନେଇ ହୋଟେଲ ନିଉ ମାରିଅନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଠାକୋର କହିଲେ ଯେ, ବିଶ୍ବର ଏହି ସର୍ବୋଚ୍ଚ ପ୍ରତିମୂର୍ତ୍ତିର ଲୋକାର୍ପଣ ଉତ୍ସବକୁ ସମସ୍ତ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଗୁଜୁରାଟର ଏକ ସାଂସଦ ଓ ବିଧାୟକ ଦଳ ଆସି ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।

ଏହି ପ୍ରତିମୂର୍ତ୍ତି ଦେଶର ଏକତା ଏବଂ ଅଖଣ୍ଡତାର ପ୍ରତୀକ ସାଜିବ। ଏହା ନ୍ୟୁୟର୍କରେ ଅବସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଆକାର ଠାରୁ ଦୁଇଗୁଣା ବଡ଼। ଚୀନରେ ଥିବା ୪୨୦ଫୁଟ ଉଚ୍ଚର ବୁଦ୍ଧ ମନ୍ଦିରଠୁ ବି ଏହା ବଡ଼। ୪୨ମାସରେ ନିର୍ମାଣ ହୋଇଥିବା ଏହି ପ୍ରତିମୂର୍ତ୍ତି ନିର୍ମାଣରେ ୨୫୦୦ କୁଶଳୀ କାରିଗର ଲାଗିଥିଲେ। ଏହାର ନିର୍ମାଣରେ ୫ହଜାର ବର୍ଗଫୁଟ ବ୍ରୋଞ୍ଜ, ୨୨,୫୦୦ ମିଲିଅନ ଟନ୍ ସିମେଣ୍ଟ ବ୍ୟବହାର ହୋଇଛି। ଏହି ପ୍ରତିମୂର୍ତ୍ତି ତଳେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉପରେ ନିର୍ମାଣ ହୋଇଥିବା ଏକ ସଂଗ୍ରାହଳୟ ରହିଛି। ଏହା ନିକଟକୁ ଯିବା ପାଇଁ ୩.୫କିମିର ଏକ ରାଜପଥ ନିର୍ମାଣ ହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ପ୍ରତିମୂର୍ତ୍ତିର ୧୫୩ମିଟର ଉଚ୍ଚରେ ଏକ ଗ୍ୟାଲେରି ରହିବ। ଏଠାରେ ୨୦୦ ପର୍ଯ୍ୟଟକ ଏକସଙ୍ଗେ ବନ୍ଧ ଏବଂ ଏହା ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହି ପ୍ରତିମୂର୍ତ୍ତି ଭୂମିକମ୍ପ ଓ ପବନକୁ ପ୍ରତିହିତ କରିବା ଭଳି ନିର୍ମାଣ ହୋଇଛି ବୋଲି ରାଜକୋଟ ମହାନଗର ନିଗମର କମିସନର ତଥା ଏକତା ଯାତ୍ରାର ଆବାହାକ ବାଞ୍ଛାନିଧି ପାଣି କହିଛନ୍ତି।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଶୁଭ ଉଦ୍‌ଘାଟନ ଅବସରରେ ଗୁଜୁରାଟର ୧୦ହଜାର ଗ୍ରାମରେ ଅକ୍ଟୋବର ଓ ନଭେମ୍ବର ମାସରେ ଏକତା ଯାତ୍ରା ଆୟୋଜନ ହେବ ବୋଲି ଦଣ୍ଡକର ବିଧାୟକ ଭରତସିନ୍ ଦାଭି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଗୁଜୁରାଟରେ କାର୍ଯ୍ୟରତ ଓଡ଼ିଆ ଆଇଏଫ୍‌ଏସ୍‌ ଅଧିକାରୀ ଆରାଧାନା ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର