ଲୁହାପଥର ଦର ବଢ଼ିଲା, ଇସ୍ପାତ ବଢ଼ିବ

ରାଉରକେଲା : ନୂଆ ବର୍ଷ ଆରମ୍ଭରୁ ଲୁହାପଥର ଦର ହାରାହାରି ୨୨% ବୃଦ୍ଧି ପାଇବା ଖଣି ଲିଜ୍‌ଧାରୀଙ୍କ ପାଇଁ ଶୁଭ ସଙ୍କେତ। ତେବେ ଏହା ଇସ୍ପାତ ବଜାରକୁ ସାମଗ୍ରୀକ ଭାବେ ପ୍ରଭାବିତ କରିବ। ମୋଟାମୋଟି ଭାବେ ଆଗାମୀ ଦିନରେ ଆଭ୍ୟନ୍ତରୀଣ ବଜାରରେ ଇସ୍ପାତ ସାମଗ୍ରୀ ମୂଲ୍ୟ ୨୫% ପର୍ଯ୍ୟନ୍ତ ବଢ଼ିବ। ପରିଣାମ ସ୍ୱରୂପ ଗ୍ରାମାଞ୍ଚଳ ଗୃହନିର୍ମାଣ ଠାରୁ ଆରମ୍ଭ କରି ରିଏଲ୍‌ ଇଷ୍ଟେଟ୍‌ ଓ ସର୍ବୋପରି ଭିତ୍ତିଭୂମି ପ୍ରକଳ୍ପ ବ୍ୟୟ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ନିର୍ମାଣ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଲୁହାପଥର ଚାହିଦା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜରିମାନା ପୈଠ କରିନଥିବା ରାଜ୍ୟର ୪୬ଟି ଲୁହାପଥର ଖଣି ଓ ୮ଟି ମାଙ୍ଗାନିଜ ଖଣି ନୂଆ ବର୍ଷର ପ୍ରଥମ ଦିନରୁ ବନ୍ଦ। ଏହାର ପ୍ରତ୍ୟକ୍ଷ ପ୍ରଭାବ ସ୍ୱରୂପ କୋଇଡ଼ା ଓ ଯୋଡ଼ା ଖଣି ମଣ୍ଡଳରେ ଲୁହାପଥର ଉତ୍ତୋଳନ ଗୁରୁତର ଭାବେ ହ୍ରାସ ପାଇଛି। ଦୁଇ ଦିନ ନଯାଉଣୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜାତୀୟ ଖଣିଜ ବିକାଶ ନିଗମ (ଏନ୍‌ଏମ୍‌ଡ଼ିସି) ଚଳିତ ଜାନୁଆରି ୩ ତାରିଖରୁ ଲୁହାପଥର ଦର ହାରାହାରି ୨୨% ବୃଦ୍ଧି କରିଥିବାରୁ ଖଣି ଲିଜ୍‌ ପାଇନଥିବା ଇସ୍ପାତ ଶିଳ୍ପଗୁଡ଼ିକର ଉତ୍ପାଦନ ବ୍ୟୟ ଅଧିକ ବୃଦ୍ଧି ପାଇବା ଆଶଙ୍କା ଘନୀଭୂତ ହୋଇଛି। ଏକ ପକ୍ଷରେ ଆମଦାନୀଯୁକ୍ତ କୋକ୍‌ ଓ କୋକିଂ କୋଇଲାର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶର ଇସ୍ପାତ ଶିଳ୍ପଗୁଡ଼ିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କଠୋର ପରିସ୍ଥିତିର ସମ୍ମୁଖୀନ। ଅପର ପକ୍ଷରେ ଲୁହାପଥର ଦର ବୃଦ୍ଧି ଯୋଗୁଁ ଇସ୍ପାତ କାରଖାନାଗୁଡ଼ିକର ଉତ୍ପାଦନ ବ୍ୟୟ ଟନ୍‌ ପିଛା ୧୧୦୦ ଟଙ୍କାରୁ ୧୩୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମୋଟାମୋଟି ଭାବେ ଆଭ୍ୟନ୍ତରୀଣ ବଜାରରେ ଇସ୍ପାତ ସାମଗ୍ରୀର ମୂଲ୍ୟ ସମାନୁପାତିକ ଭାବେ ବୃଦ୍ଧି ପାଇବ।

ଡିସେମ୍ବର ଶେଷ ସପ୍ତାହ ଯାଏ ଲୁହାପଥର ଖଣ୍ଡ (ଲମ୍ପ୍ସ) ଦର ଟନ୍‌ ପିଛା ୨୬୦୦ ଟଙ୍କା ଥିଲା ବେଳେ ଜାନୁଆରି ୩ରୁ ଏନ୍‌ଏମ୍‌ଡ଼ିସି ତାହାକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିଛି। ସେହିପରି ପିଲେଟ୍‌ ଉତ୍ପାଦନରେ ଉପଯୋଗ ହେଉଥିବା ଉଚ୍ଚ ମାନର (୬୪% ଗ୍ରେଡ୍‌) ଲୁହାପଥର ଗୁଣ୍ଡ (ଫାଇନ୍ସ) ଦର ଟନ୍‌ ପିଛା ହାରାହାରି ୨୨% ବୃଦ୍ଧି ପାଇ ୨୭୬୦ ଟଙ୍କାରେ ପହଞ୍ଚିଛି। ସେଥିରେ ରୟାଲ୍‌ଟି, ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ (ଡିଏମ୍‌ଏଫ୍‌), ଏନ୍‌ଏମ୍‌ଇଟି ଦେୟ, ସେସ୍‌ ଓ ଜିଏସ୍‌ଟି ମିଶିଲେ ଦର ଅଣାୟତ୍ତ ହୋଇପଡ଼ିବ। ତେଣୁ ପିଲେଟ୍‌ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକର ଉତ୍ପାଦନ ବ୍ୟୟ ଅଣାୟତ୍ତ ହୋଇପଡ଼ିବ। ଏକ ପକ୍ଷରେ ୩୦% ରପ୍ତାନୀ ଟିକସ ଯୋଗୁଁ ୫୮%ରୁ ୬୨% ଗ୍ରେଡ୍‌ ଫାଇନ୍ସ ଚାଲାଣ ନହୋଇ ଖଣି ଅଞ୍ଚଳରେ ଗଦା ହୋଇ ପଡ଼ିରହିଛି। ହାତଗଣତି ପିଲେଟ୍‌ ଉତ୍ପାଦନକାରୀ ସଂସ୍ଥା ୬୪% ଗ୍ରେଡ୍‌ ଫାଇନ୍ସରୁ ଯାହା କିଛି ଉପଯୋଗ କରୁଥିଲେ, ସାମ୍ପ୍ରତିକ ଦର ବୃଦ୍ଧି ସେମାନଙ୍କୁ ନିରୁତ୍ସାହିତ କରିବ। ଫଳରେ କୋଇଡ଼ା ଓ ଯୋଡ଼ା ଖଣି ମଣ୍ଡଳରେ ପଡ଼ି ରହିଥିବା ପ୍ରାୟ ୧ କୋଟି ୨୦ ଲକ୍ଷ ଟନ୍‌ ଫାଇନ୍ସ ଗଦା ବଢ଼ିବ ପଛେ କମିବ ନାହିଁ; ଯାହା ଲୁହାପଥର ଖଣି ପରିଚାଳନାରେ ମଧ୍ୟ ବାଧା ସୃଷ୍ଟି କରିବ।

ସମ୍ବନ୍ଧିତ ଖବର