ଟିଟୋକୁ ଧରାଇଲେ ସହଯୋଗୀ! : ରିମାଣ୍ଡରେ ନେବ ଏସ୍‌ଟିଏଫ୍‌, କଟକ ପୁଲିସ୍‌

ରାଜ୍ୟ ବାହାର ନେଟ୍‌ଓ୍ଵାର୍କର ଖୋଳତାଡ଼ ହେବ: ଡିଜି

କଟକ/ଭୁବନେଶ୍ୱର/କେନ୍ଦ୍ରାପଡ଼ା : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସମାନ୍‌ ଅଲ୍ଲୀର ୬ ଜଣ ସହଯୋଗୀଙ୍କୁ ଆଜି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି। କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଚଢଉ ବେଳେ ସେମାନେ ଟିଟୋ ସହ ଥିବା କୁହାଯାଉଛି। ଗିରଫ ଅଭିଯୁକ୍ତ ୬ ଜଣ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଦିଲାରପୁରର ସେକ୍‌ ୟାସିମ୍‌, ସେକ୍‌ ଚାନୁ, କଟକ ଲାଲବାଗ ଥାନା ଅନ୍ତର୍ଗତ ଖଟବିନ୍‌ ସାହିର ସୟଦ ଆଝାର ସଇଦ, ସର୍ଫରାଜ ଖାନ୍‌, ନଦୀମ ଖାନ୍‌ ଓ ବାବୁ ଖାଁ। ସେମାନଙ୍କୁ ଅଦାଲତରେ ହାଜର କରାଯିବା ପରେ କେନ୍ଦ୍ରାପଡା ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ଟିଟୋର ସହଯୋଗୀଙ୍କ ନିକଟରୁ ଏସ୍‌ଟିଏଫ୍‌ ଦୁଇଟି ଅତ୍ୟାଧୁନିକ ମାଉଜର, ୪ଟି ଅଫୁଟା ଗୁଳି, ୨ଟି ଭୁଜାଲି, ୬ଟି ମୋବାଇଲ୍‌ ଫୋନ୍‌, ୪ ହଜାର ୫ଶହ ଟଙ୍କା ଜବତ କରିଛି। ଟିଟୋର ଅପରାଧିକ କାର୍ଯ୍ୟକଳାପର ପର୍ଦ୍ଦାଫାସ ପାଇଁ ଆଜି କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରର କେତେକ ସନ୍ଦିଗ୍ଧ ସ୍ଥାନରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇଛି।

ଟିଟୋକୁ ଏନ୍‌କାଉଣ୍ଟର ସଂପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ଟିଟୋର ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ନେଟଓ୍ଵର୍କର ଖୋଳତାଡ଼ ହେବ। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକରେ ଘଟିଥିବା କେତେକ ଅପରାଧ ଘଟଣାକୁ ନେଇ ଟିଟୋକୁ ଜେରା କରାଯିବ। ସାରା ରାଜ୍ୟରେ ଗ୍ୟାଙ୍ଗ୍‌ଷ୍ଟର, ମାଫିଆ, ଯୋଜନାବଦ୍ଧ ଅପରାଧ କରୁଥିବା ଅପରାଧୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜି ଶ୍ରୀ ଶର୍ମା ନିର୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଭାବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ମୁଖ୍ୟ ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ ଆଜି କଟକ ବଡ଼ ମେଡିକାଲରେ ଟିଟୋର ଏକ୍ସରେ କରାଯାଇଛି। ଟିଟୋର ଡାହଣ ଗୋଡ଼ରେ ଗୁଳି ଘସି ହୋଇ ଚାଲି ଯାଇଥିବା ବେଳେ ବାସ୍ତବରେ କ୍ଷତର ଗଭୀରତା କେତେ, ତାହା ପରୀକ୍ଷା କରାଯାଇଛି। କିନ୍ତୁ ବଡ଼ ମେଡିକାଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଟୋର ସ୍ୱାସ୍ଥ୍ୟାବସ୍ଥା ସେତେଟା ଗୁରୁତର ନଥିବା ବେଳେ ଅନ୍ୟ କେତେକ ଆନୁସଙ୍ଗିକ ପରୀକ୍ଷା ପରେ ତାକୁ ହୁଏତ ଦୁଇ ଦିନ ଭିତରେ ଡିସଚାର୍ଜ କରାଯାଇପାରେ। ଅନ୍ୟପଟେ ଟିଟୋକୁ ରିମାଣ୍ଡରେ ନେବା ପାଇଁ ଉଭୟ ଏସ୍‌ଟିଏଫ୍‌ ଏବଂ କଟକ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ଦିନ ଭିତରେ ଅଦାଲତରେ ଏଥିପାଇଁ ଆବେଦନ କରାଯିବ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିଟୋର ସାମଗ୍ରିକ ଭାବେ ଅପରାଧ କାର୍ଯ୍ୟକଳାପ ସଂପର୍କରେ ତଦନ୍ତ କରୁଥିବା ବେଳେ ଜଗତପୁର ମହମ୍ମଦ ତାହିର ଅଲ୍ଲୀ ଖାଁ ଗୁଳିକାଣ୍ଡ ଘଟଣାରେ କଟକ କମିସନରେଟ ପୁଲିସ ଟିଟୋକୁ ରିମାଣ୍ଡରେ ନେବ। ୨୦୧୮, ମାର୍ଚ୍ଚ ୨୮ ତାରିଖରେ ଟେଣ୍ଡର ଫିକ୍ସିଂକୁ ନେଇ ହୋଇଥିବା ଏହି ଗୁଳିକାଣ୍ଡରେ ଟିଟୋ ବିରୋଧରେ ଅନ୍ୟତମ ଅଭିଯୁକ୍ତ ଭାବେ ମାମଲା ରହିଛି। ଟିଟୋକୁ ରିମାଣ୍ଡରେ ନେବା ପାଇଁ ଅଦାଲତରେ ଦୁଇ ଦିନ ଭିତରେ ଆବେଦନ କରାଯିବ ବୋଲି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏବେ ଟିଟୋକୁ ବଡ଼ ମେଡିକାଲରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଅଧିକାରୀ ଜଗି ରହିଛନ୍ତି।

ଟିଟୋକୁ କାବୁ କରିବାରେ ଏସଟିଏଫ୍‌କୁ ତା’ର କେତେକ ଘନିଷ୍ଠ ସହଯୋଗୀ ସହାୟତା ଦେଇଥିବା ସନ୍ଦେହ କରାଯାଉଛି। ଟିଟୋର ଦିଲାରପୁର ଆଡାରେ ସେ ସବୁଠୁ ଅଧିକ ସୁରକ୍ଷିତ ବୋଲି କୁହାଯାଏ। ସେଠି କେହି ପ୍ରବେଶ କରି ଟିଟୋକୁ ଧରିବା ଅଥବା ଆକ୍ରମଣ କରିବା ଅସମ୍ଭବ ବୋଲି କୁହାଯାଉଥିଲା। ତେଣୁ ଟିଟୋ ପାଲଟା ଆକ୍ରମଣ କରି କେନ୍ଦ୍ରାପଡା ଦିଲାରପୁର ଆଡାରୁ ଖସି ଯିବାର ସୁଯୋଗ ନଥିବା ସଂପର୍କରେ ନିଶ୍ଚିତ ହେବା ପରେ ଯାଇ ଏସଟିଏଫ୍‌ ଟିମ୍‌ ସେଠାରେ ଚଢଉ କରିଥିଲା। ଏହାକୁ ନେଇ କେନ୍ଦ୍ରାପଡା ଆଗକୁ ଅଶାନ୍ତ ହେବା ଆଶଙ୍କା କରାଯାଉଛି। ଏଭଳି ପଦକ୍ଷେପ ପଛରେ ରାଜନୈତିକ ଷଡଯନ୍ତ୍ର ରହିଥିବା ଆଲୋଚନା ହେଉଥିଲେ ବି ଦୀର୍ଘ ୪ ବର୍ଷ ପରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋକୁ କବଜାକୁ ନେବା ପୁଲିସର ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଜଳସେଚନ, ମହାନଦୀ ନର୍ଥ ଡିଭିଜନ୍‌ ଟେଣ୍ଡର ଫିକ୍ସିଂ ସଂପୂର୍ଣ୍ଣ ଭାବେ ଟିଟୋ କବଜାରେ ଥିବା ବେଳେ ଟିଟୋ ପରବର୍ତ୍ତୀ ସମୟରେ ଟ୍ରାନ୍ସପୋର୍ଟ, ରିଅଲ ଇଷ୍ଟେଟ୍‌, ବାଲି ଘାଟ, ମୋରମ୍‌, ହୋଟେଲ, ଷ୍ଟିଭେଡୋରିଂ ବ୍ୟବସାୟରେ ପାଦ ଦେଇ ସାରିଛି। ଏସବୁ ବ୍ୟବସାୟରେ ବିଭିନ୍ନ ସମୟରେ ହୋଇଥିବା କେଳେଙ୍କାରୀ ଏବଂ ଅପରାଧକୁ ନେଇ ଏସଟିଏଫ୍‌ ଖୋଳତାଡ ଆରମ୍ଭ କରିଛି। ଟିଟୋ ବିରୋଧରେ ୪୦ରୁ ଅଧିକ ସଂଗୀନ ମାମଲା ବିଭିନ୍ନ ସମୟରେ ରୁଜୁ ହୋଇଥିଲେ ବି କୌଣସି ଗୋଟିଏ ମାମଲାରେ ଟିଟୋ ଏଯାଏ ଦୋଷୀ ସାବ୍ୟସ୍ତ ହୋଇପାରି ନାହିଁ। ଗଲା ମାର୍ଚ୍ଚ ମାସରେ କଟକ ଜଗତପୁରରେ ଘଟିଥିବା ଗୁଳିକାଣ୍ଡ ଘଟଣା ଟିଟୋ ବିରୋଧରେ ରୁଜୁ ହୋଇଥିବା ଶେଷ ମାମଲା ଭାବେ ବିଚାର କରାଯାଉଛି।

କେମିତି ହେଲା ଏନ୍‌କାଉଣ୍ଟର

ଏସ୍‌ଟିଏଫ୍‌ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଟିଟୋ ଓ ତାର ସହଯୋଗୀମାନଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୬୦ରୁ ଅଧିକ ମାମଲା ରହିଛି। ଏଥିରେ ରହିଛି ଅପହରଣ, ହତ୍ୟା, ଟେଣ୍ଡରଫିକ୍ସିଂ, ହତ୍ୟା ଉଦ୍ୟମ, ବୋମାମାଡ଼ ଭଳି ସଂଗୀନ ମାମଲା। ଟିଟୋର କଲିକତା, ହାଇଦ୍ରାବାଦ, ଗୋଆ, ମୁମ୍ବାଇରେ ନେଟଓ୍ଵର୍କ ରହିଛି। ବିଶେଷକରି କୋଲାକାତାରେ ସେ ଟିଟୋ ଭାଇ ବୋଲି ଜଣା। ଦୁଇଦୁଇ ଥର ଟିଟୋକୁ ନାସା ବଳରେ ଗିରଫ କରାଯାଇଥିଲା। ଟିଟୋକୁ କାବୁ କରିବା ପାଇଁ ଗତକାଲି ଏସ୍‌ଟିଏଫ୍‌ର ଏସ୍‌ଆଇ ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଟିଟୋର କେନ୍ଦ୍ରାପଡ଼ା ଦିଲାରପୁର ଘରେ ଗତକାଲି ଦିନ ପ୍ରାୟ ସାଢ଼େ ୧ଟା ବେଳେ ଚଢ଼ଉ କରିଥିଲା। ଏହି ସମୟରେ ଟିଟୋ ଓ ତାର ୬ ଜଣ ସହଯୋଗୀ କେନ୍ଦ୍ରାପଡ଼ାର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କୁ ହତ୍ୟା ଓ ଡକାୟତି କରିବାକୁ ଷଡ଼ଯନ୍ତ୍ର କରୁଥିଲେ। ଘଟଣାସ୍ଥଳରୁ ପୁଲିସ ମାରଣାସ୍ତ୍ର ଜବତ କରିଥିଲା। ଟିଟୋ ବଡ଼ଚଣା ଅଞ୍ଚଳରେ ଅଧିକ ମାରଣାସ୍ତ୍ର ଲୁଚାଇଥିବା ଜାଣି ଏସ୍‌ଟିଏଫ୍‌ ତାକୁ ସେଠାକୁ ନେଇଯାଉଥିଲା। ତେବେ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ଟିଟୋ ଏସ୍‌ଟିଏଫ୍‌ ଉପରକୁ ଗୁଳି ଚଳାଇଥିଲା। ନିଜକୁ ବଞ୍ଚାଇବାକୁ ଯାଇ ଏସ୍‌ଟିଏଫ୍‌ ଟିଟୋ ଉପରକୁ ମଧ୍ୟ ୨ରାଉଣ୍ଡ ଗୁଳି ଚଳାଇଥିଲା। ଟିଟୋକୁ ପ୍ରଥମେ ବଡ଼ଚଣା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର