ଜେରାରେ ସତ ମାନିଗଲା : ଟିଟୋ କଥାରେ ରାଜକିଶୋରଙ୍କୁ ମାରିଥିଲେ

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ଏସ୍‌ଟିଏଫ୍‌ର ଚଢ଼ଉ

କେନ୍ଦ୍ରାପଡ଼ା/ମାର୍ଶାଘାଇ : କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗ୍‌ଓ୍ଵାର ଥିଲା ମାର୍ଶାଘାଇ ଅଞ୍ଚଳର ରାଜକିଶୋର ବେହେରା ହତ୍ୟାକାଣ୍ଡର ପ୍ରମୁଖ କାରଣ। ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଟିଟୋ ଇସାରାରେ ହୋଇଥିଲା। ମାର୍ଶାଘାଇ ଥାନା ପୁଲିସ୍‌ ଟିଟୋକୁ ରିମାଣ୍ଡରେ ନେଇ ଜେରା କରିବା ସମୟରେ ଟିଟୋ ଏକଥା ମାନି ଯାଇଛି।

୨୦୧୫ରେ ମାର୍ଶାଘାଇ ପୁଲିସ୍‌ (କେସ୍‌ ନଂ ୯୨/୧୫) ଯେଉଁ ହତ୍ୟା ମାମଲା ରୁଜୁ କରିଥିଲା ସେଥିରେ ଟିଟୋର ନାମଗନ୍ଧ ନଥିଲା। ହେଲେ ସେହି ମାମଲାକୁ ପୁଣି ଥରେ ଖୋଲି ଟିଟୋକୁ ରିମାଣ୍ଡରେ ନେଇ ଜେରା କରିବା ପରେ ଏଭଳି ଘଟଣା ସାମନାକୁ ଆସିଛି। ଅନ୍ୟପଟେ ଟିଟୋର କାରନାମା ସଂପର୍କରେ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ଏସଟିଏଫ ଆଜି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚଢଉ କରିଛି।

ପଞ୍ଚମ ଦଫାରେ ଟିଟୋର ଦୁଇ ଦିନିଆ ରିମାଣ୍ଡ ଶେଷ ହୋଇଥିଲା। ଆଜି ତାକୁ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ମାର୍ଶାଘାଇ ପୁଲିସ୍‌ ଦୁଇ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ଏସ୍‌ଡିଜେଏମ୍‌ ଗୋଟିଏ ଦିନ ପାଇଁ ରିମାଣ୍ଡ ମଂଜୁର କରିଥିଲେ। ପୁଲିସ ପକ୍ଷରୁ ୪ ଘଣ୍ଟା କାଳ ଜେରା କରାଯାଇଥିଲା।

ମହାକାଳପଡ଼ା ବ୍ଲକ ଧନିଆପଡ଼ା ଗ୍ରାମର ରାଜକିଶୋର ସେ ସମୟରେ ପାରାଦୀପରେ ଗଢ଼ି ଉଠିଥିବା ଦେବୀ ପ୍ରସାଦ ଦାସ ଓରଫ୍‌ ଲିଟୁ ଗ୍ୟାଙ୍ଗ୍‌ରେ ଥିଲା। ସବୁ ପ୍ରକାର ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟରେ ତାକୁ ସହଯୋଗ କରୁଥିବାରୁ ସେ ଟିଟୋ ପାଇଁ କଣ୍ଟା ଥିଲା। ତେଣୁ ଟିଟୋ ଗ୍ୟାଙ୍ଗ୍‌ ସହ ୨୦୧୫, ଏପ୍ରିଲ ୨୪ ତାରିଖରେ ଲିଟୁ ଗ୍ୟାଙ୍ଗର ମୁହାଁମୁହିଁ ହୋଇଥିଲା। ରାଜକିଶୋର ଏକ ବାଇକ୍‌ରେ ତିଖିରିରୁ ନିଜ ଘରକୁ ଫେରୁଥିବା ବେଳେ ତାକୁ ବାଟରେ ଘେରି ଯାଇଥିଲେ ଭବାନୀ ଶଂକର ସାହୁ, କେଦାର ସ୍ୱାଇଁ, ଶରତ ମହାରଣା, ଟୁଲୁ ଓରଫ୍‌ ତ୍ରିଲୋଚନ ବେହେରା । ସେମାନେ ତାଙ୍କୁ ଗୁଳିକରି ହତ୍ୟା କରି ଫେରାର ହୋଇ ଯାଇଥିଲେ। ଟିଟୋ ନିର୍ଦ୍ଦେଶରେ ତାକୁ ହତ୍ୟା କରାଯାଇଥିଲା।

ତେବେ ସେ ସମୟରେ ଟିଟୋ କାହା ସହ ମୋବାଇଲ୍‌ରେ କଥା ହୋଇଥିଲା ଓ କେଉଁମାନଙ୍କ ସହ ହତ୍ୟାର ଯୋଜନା ପ୍ରସ୍ତୁତ କରିଥିଲା ସେ ନେଇ ପୁଲିସ୍‌ ପ୍ରମାଣ ଯୋଗାଡ଼ କରୁଛି। ଆସନ୍ତାକାଲି ପାଇଁ ଟିଟୋକୁ ପୁଣି ରିମାଣ୍ଡରରେ ଆଣିବାକୁ ଆବେଦନ କରାଯିବ ବୋଲି ଥାନା ଆଇଆଇସି କାଳନ୍ଦୀ ବେହେରା କହିଛନ୍ତି। ୨୦୧୫, ସେପ୍ଟେମ୍ବର ୧୩ ତାରିଖରେ ମାର୍ଶାଘାଇ ଥାନା ଅର୍ନ୍ତଗତ ୫ ନମ୍ବର (କ) ଜାତୀୟ ରାଜପଥର କୁସୁନପୁର ତାରିଣୀ ଢ଼ାବା ସମ୍ମୁଖରେ ଅଶ୍ୱଜିତ ସାହୁଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଥିଲା। ସେହି ଘଟଣାରେ ମଧ୍ୟ ଟିଟୋକୁ ଜେରା କରାଯିବ।

ଅନ୍ୟପଟେ ଏସଟିଏଫ୍‌ର ଏକ ଟିମ୍‌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଛି । ପୁଲିସ ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ରଙ୍କୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ପଚରାଉଚୁରା କରିଥିଲେ। ନିର୍ଦ୍ଦିଷ୍ଟ ଭାବେ ବାଲିଘାଟ ଲିଜ୍‌ ସମ୍ପର୍କିତ କେତେକ ପ୍ରଶ୍ନ ଓ ତତ୍‌ସଂଲଗ୍ନ ସମସ୍ତ ଦସ୍ତାବିଜ୍‌ ଉପଜିଲ୍ଲାପାଳଙ୍କୁ ମାଗିଥିଲେ।

ସମ୍ବନ୍ଧିତ ଖବର