ଭୁବନେଶ୍ୱର : ଡି ବ୍ରଦର୍ସଙ୍କୁ କମିସନରେଟ ପୁଲିସ ଗିରଫ କରିବା ପରେ ପୁଣି ଥରେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସମାନ ଅଲ୍ଲୀ କଟକକୁ ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା। ଏଥିରେ ତାକୁ ସହଯୋଗ କରିଥିଲେ କଟକର କିଛି କୁଖ୍ୟାତ ଅପରାଧୀ। ଗୋଲଡେନ୍ ପପୁ ଓ ତାର ୩ ସହଯୋଗୀକୁ ଏସ୍ଟିଏଫ୍ ଗିରଫ କରିବା ପରେ ଏବେ ଏସ୍ଟିଏଫ୍ ନଜର ପକାଇଛି ଟାଙ୍ଗୀ ଓ ଚୌଦ୍ୱାର ଅଞ୍ଚଳର ବାହୁବଳୀ ତପୁକୁ। ତପୁକୁ ଗିରଫ କରିବାକୁ ଏସ୍ଟିଏଫ୍ ଗତ ଦୁଇ ଦିନ ହେବ ଟାଙ୍ଗୀ ଓ ଚୌଦ୍ୱାର ଅଞ୍ଚଳରେ ଚଢ଼ଉ କରିଛି। ଆଜି ଏସ୍ଟିଏଫର ଏକ ସ୍ୱତନ୍ତ୍ର ଟିମ୍ ଟାଙ୍ଗୀ କନ୍ଦରକଣାରେ ଥିବା ତପୁର ଏକ ଏକ କନ୍ଷ୍ଟ୍ରକସନ୍ ସଂସ୍ଥା ଉପରେ ଚଢ଼ଉ କରିଛି। ତପୁକୁ ଏସ୍ଟିଏଫ୍ ପାଇ ନ ଥିଲେ ମଧ୍ୟ କିଛି କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଆଦି ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ତପୁ ନାଁରେ ଗୁଳିକାଣ୍ଡ, ହତ୍ୟା ଯୋଜନା, ଦାଦାବଟି ଆଦାୟ ଭଳି ଏକାଧିକ ଅପରାଧ ମାମଲା ରହିଛି। କଟକର ଟୋଲଗେଟ୍ରୁ ତପୁ ମାସକିଆ ବଟି ମଧ୍ୟ ଆଦାୟ କରେ ବୋଲି ଏସ୍ଟିଏଫ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
କେବଳ କଟକ କାହିଁକି ଯାଜପୁର ଓ ଜଗତସିଂହପୁରରେ ମଧ୍ୟ ଟିଟୋର ଅପରାଧ ସାମ୍ରାଜ୍ୟର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି ଏସ୍ଟିଏଫ୍। କିଏ କିଏ ଟିଟୋକୁ ସହଯୋଗ କରି ତାର ଅପରାଧ ସାମ୍ରାଜ୍ୟ ବିସ୍ତାର କରୁଥିଲେ ସେ ନେଇ ଅନୁସନ୍ଧାନ ଆରମ୍ଭ ହୋଇ ଯାଇଛି। ଟିଟୋର ଏହି ସହଯୋଗୀମାନେ ଟିଟୋ ପାଇଁ ଦାଦାବଟିଠାରୁ ଆରମ୍ଭ କରି ଟେଣ୍ଡରଫିକ୍ସିଂ, ଗୁଳିମାଡ଼, ବୋମାମାଡ଼, ବନ୍ଧୁକ ମୁନରେ ଭୟଭୀତ କରି ଆତଙ୍କ ସୃଷ୍ଟି କରୁଥିଲେ।
ଅନ୍ୟପକ୍ଷରେ ଟିଟୋର ଆର୍ଥିକ କାରବାରର ତଦନ୍ତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କରିବ। ଖୁବ୍ ଶୀଘ୍ର ଏ ନେଇ ଅନୁସନ୍ଧାନ ଆରମ୍ଭ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଟିଟୋର ୫ଟି ବ୍ୟାଙ୍କ ଆକାଉଣ୍ଟରୁ ପାଖାପାଖି ୫୦ ଲକ୍ଷ ଟଙ୍କା ଠାବ ହୋଇଛି। ଅଡି ଓ ଜାଗୁଆର ବ୍ୟତୀତ ଟିଟୋର ଏକାଧିକ ଦାମୀ କାର ଥିବା ନେଇ କ୍ରାଇମବ୍ରାଞ୍ଚ ସୂଚନା ପାଇଛି।