ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଲା ଷ୍ଟାଇପେଣ୍ଡ

ଭୁବନେଶ୍ୱର: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଷ୍ଟାଇପେଣ୍ଡ ଅର୍ଥରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର | ପୂର୍ବରୁ ଦିଆଯାଉଥିବା ୧୨୦୦ ଟଙ୍କା ସହାୟତା ରାଶିକୁ ବୃଦ୍ଧି କରାଯାଇ ୧୭୬୦ ଟଙ୍କାକୁ ବୃଦ୍ଧି କରାଯାଇଛି | ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଲୋକସେବା ଭବନରେ ଏ ବାବଦରେ ଘୋଷଣା କରିଛନ୍ତି | ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ତଥା ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରତିମାସରେ ପୂର୍ବରୁ ଦିଆଯାଉଥିବା ସହାୟତା ୧୨୦୦ ଟଙ୍କାରୁ ୧୭୬୦ ଟଙ୍କାକୁ ବୃଦ୍ଧି କରାଯାଇଛି |

Telegraph India

ଏଠାରେ ଖାଦ୍ୟପେୟ,ପୋଷାକପତ୍ର, ପାଠପଢା ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ ସମେତ ଆନୁସଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିବ | ସେହିପରି ଭାବରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ କେବଳ ପାଠପଢୁଥିଵା ବିଦ୍ୟାର୍ଥୀମାନଙ୍କୁ ଏଣିକି ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି |

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସହାୟତା ରାଶି ଚଳିତବର୍ଷ ଏପ୍ରିଲ ପହିଲାରୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି | ଏଠାରେ ସୂଚନା ଥାଉ କି ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ପାଇଁ ରାଜ୍ୟରେ ୧୦୩ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ରହିଛି |

ସମ୍ବନ୍ଧିତ ଖବର