ଚୋରି ହୋଇଥିବା ସୁନାର କନକ ଦୁର୍ଗା ମୂର୍ତ୍ତି ମାଟିତଳୁ ଉଦ୍ଧାର : ଫେଲ୍ ମାରିଲା ପୁଲିସ, କମାଲ ଦେଖାଇଲେ ବୁଲେଟ୍ ବାବା, ପୂଜାର୍ଚ୍ଚନା କଲେ, ଜଙ୍ଘ କାଟି ରକ୍ତ ଦେଲେ
ବାବାଙ୍କ ଚମତ୍କାରକୁ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ
ବଅଁରପାଳ : ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବା ପରେ ବି ଫେଲ୍ ମାରିଲା ପୁଲିସ। ହେଲେ କମାଲ ଦେଖାଇଛନ୍ତି ବୁଲେଟ୍ ବାବା। ପାଖାପାଖି ୧୦ ମାସ ତଳେ ଚୋରି ହୋଇଥିବା ସୁନା ନିର୍ମିତ କନକ ଦୁର୍ଗା ମୂର୍ତ୍ତିକୁ ନିଜ ସାଧନା ବଦଳରେ ମାଟି ତଳୁ ବାହାର କରିଛନ୍ତି ସେ । ଏହି ଘଟଣା ପ୍ରଚାରିତ ହେବା ପରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଶାସନରେ ଏବେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଅପରପକ୍ଷରେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅଂଚଳର ବୁଦ୍ଧିଜୀବୀ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୫ ନଭେମ୍ବର ୨୦୧୮ ତଳମୂଳ ଶାସନସ୍ଥିତ ଭୋଳେଶ୍ୱର ମନ୍ଦିରର ତାଲା ଭାଂଗି ଚୋରମାନେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କର ସୁନାର ମୂର୍ତ୍ତି, ତାଙ୍କର ମକୁଟ ଓ ଛତି ଚୋରି କରି ନେଇଯାଇଥିଲେ। ମୂର୍ତ୍ତି ଚୋରି ଘଟଣାକୁ ନେଇ ବଅଁରପାଳ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସକୁ କିନ୍ତୁ କୌଣସି ସଫଳତା ମିଳିନଥିଲା। ପୁଲିସର ଭରସା ଛାଡ଼ି ବୁଲେଟ ଚଢ଼ୁଥିବାରୁ ‘ବୁଲେଟ ବାବା’ ଭାବେ ପରିଚିତ ତାଳଚେର ଅଞ୍ଚଳର ରାଜେନ୍ଦ୍ର ସାମନ୍ତଙ୍କ ସହିତ ଗାଁର କିଛି ଲୋକ ଯୋଗାଯୋଗ କରିଥିଲେ। ରାଜେନ୍ଦ୍ର ମା’ କନକ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ବାହାର କରିଦେବେ ବୋଲି କହିଥିଲେ। ଗତ ୧୭ ତାରିଖ ମଧ୍ୟରାତ୍ରିରେ ମନ୍ଦିର ପରିସରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ନିଜ ଜଂଘ କାଟି ରକ୍ତ ଅର୍ପଣ କରିଥିଲେ ବୁଲେଟ ବାବା। ବୁଲେଟ ବାବାଙ୍କ ପରାମର୍ଶ ଅନୁସାରେ, ସେଠାରେ ଉପସ୍ଥିତ ଲୋକେ ନିଜ ଇଚ୍ଛା ଅନୁସାରେ ୩ଟି ଗାତ ଖୋଳିଥିଲେ। ପୂଜାର୍ଚ୍ଚନା ପରେ ଗାତସବୁ ପୋତି ଦିଆଯାଇଥିଲା। ଏହା ପରେ ବାବା ପାଖରେ ଥିବା ଏକ ଶ୍ମଶାନ ଆଡ଼କୁ ଯାଇଥିଲେ। ଗାଁ ଲୋକେ ବି ତାଙ୍କ ପେଛ ପଛେ ଯାଇଥିଲେ। କିଛି ସମୟ ବୁଲାବୁଲି କରି ସେଠାରୁ ଆସିବା ପରେ ପୋତାଯାଇଥିବା ଗୋଟିଏ ଗାତ େଖାଲା ଯାଇଥିଲା। ମୂର୍ତ୍ତି ନମିଳିବାରୁ ସେ ପୁଣି ଦୁଇ ଥର ଶ୍ମଶାନ ଆଡ଼କୁ ଯାଇଥିଲେ। ପୋତା ଯାଇଥିବା ତୃତୀୟ ଗାତରୁ ମାଟି ବାହାର କରିବା ବେଳେ ପ୍ରାୟ ଦୁଇ ଫୁଟ ତଳେ କନକ ଦୁର୍ଗାଙ୍କର ପ୍ରତିମୂର୍ତ୍ତି ମିଳିଥିଲା। ସେତେବେଳେକୁ ସମୟ ରାତି ଦେଢ଼ଟା ପାଖାପାଖି । ମୂର୍ତ୍ତି ମିଳିିଥିବାରୁ କେତେକ ଲୋକ ବାବାଙ୍କୁ ସାଧୁବାଦ ଜଣାଇଥିବା ବେଳେ ଅନ୍ୟ କେତେକ ଲୋକ ସନ୍ଦେହ କରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଭୋର ୪ଟା ବେଳକୁ ବୁଲେଟ ବାବା ସେଠାରୁ ଚାଲି ଯାଇଥିଲେ। ତେବେ ଯିବା ପୂର୍ବରୁ ବୁଲେଟ ବାବା କହିଥିଲେ, ପୂଜାରେ ଅବହେଳା କରାଯାଇଥିବାରୁ ଏମିତି ହୋଇଥିଲା। ସଠିକ୍ ଭାବରେ ପୂଜା କରାଗଲେ ମା ମନ୍ଦିରରେ ରହିବେ ବୋଲି କହିଥିଲେ।
ମୂର୍ତ୍ତି ଉଦ୍ଧାର ପରେ ଆଜି ମା’ଙ୍କର ରୀତିନୀତିରେ ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଥିଲା। ଆସନ୍ତାକାଲି ସକାଳେ ପୂଜା ଅର୍ଚ୍ଚନା ପରେ ମନ୍ଦିର ପ୍ରବେଶ କରାଯିବ ବୋଲି ମନ୍ଦିର ପୂଜକ ରଞ୍ଜନ ଦ୍ବିବେଦୀ କହିଛନ୍ତି। ତନ୍ତ୍ରମନ୍ତ୍ର ସହାୟତାରେ ବୁଲେଟ ବାବା ମାଟିତଳୁ ଚୋରି ହୋଇଥିବା ମୂର୍ତ୍ତି ବାହାର କରିବାକୁ ଘଟଣାକୁ କେତେକ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏ ସଂକ୍ରାନ୍ତରେ ଖବର ମିଳିବା ପରେ ଆଜି ବଅଁରପାଳ ପୁଲିସ ତଳମୂଳ ଶାସନରେ ପହଂଚି ଗାଁଲୋକଙ୍କୁ ପଚରାଉଚରା କରି ଫେରି ଆସିିଥିବା ଜଣାପଡ଼ିଛି।