ଚର୍ଚ୍ଚାକୁ ଆସିଲା ଆଉ ଏକ ଲେଖାଚୋରି ଅଭିଯୋଗ

ଭୁବନେଶ୍ବର : ଓଡ଼ିଆ ସାହିତ୍ୟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଲେଖାଚୋରି ଭଳି ଘଟଣା। ଗତ ଦୁଇଦିନ ହେଲା ସାମାଜିକ ଗଣମାଧ୍ୟମରେ ସରଗରମ ହୋଇଛି ସାରା ରାଜ୍ୟର ଲେଖକୀୟ ବାତାବରଣ। ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଲେଖିକା ଡ. ମମତାମୟୀ ଚୋୖଧୁରୀଙ୍କ ‘ଚୁପ୍‌ଚାପ୍’ ଶୀର୍ଷକ ଗପଟି ଏକ ମାସିକ ପତ୍ରିକାର ମେ’ ୨୦୧୯ ସଂଖ୍ୟାରେ ପ୍ରକାଶିତ ହୋଇଥିଲା। ତେବେ ଗପଟି ପ୍ରକୃତରେ ବିଲାଲ ହାସନଙ୍କ ନିର୍ଦ୍ଦେଶିତ ସର୍ଟଫିଲ୍ମ ‘ଚୁପ୍‌ଚାପ୍‌’ର ନକଲ ବୋଲି ଅଭିନେତ୍ରୀ ଭାସ୍ବତୀ ବସୁ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ପରେ ଡ. ଚୋୖଧୁରୀଙ୍କ ଉପରୋକ୍ତ ଗଳ୍ପକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ଜଣେ ପ୍ରତିଷ୍ଠିତ ଲେଖିକାଙ୍କ ଏଭଳି କାର୍ଯ୍ୟକୁ ନେଇ ବହୁ ସାହିତ୍ୟିକ ନିନ୍ଦା ଓ ଉଦ୍‌ବେଗ ପ୍ରକାଶ କରିବା ପରେ ନିଜେ ଡ. ଚୋୖଧୁରୀ ‘ଚୁପ୍‌ଚାପ୍’ ସର୍ଟଫିଲ୍ମ ଦେଖିନଥିବା ତଥା କେରଳରେ ଘଟିଥିବା ଗୋଟିଏ ସତ୍ୟ ଘଟଣା ଉପରେ ତାଙ୍କ ଲେଖାଟି ଆଧାରିତ ହୋଇଥିବାରୁ ତାଙ୍କୁ ଅଯଥାରେ କେହି ଦୋଷାରୋପ ନକରିବାକୁ ନିଜ ଟାଇମଲାଇନ୍‌ରେ ପ୍ରଥମେ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଡ. ଚୋୖଧୁରୀଙ୍କ ପିତାଙ୍କ ଦେହାନ୍ତ ପରେ ସେ ଗତ ବର୍ଷେ ହେଲା ମାନସିକ ଅବସାଦଗ୍ରସ୍ତ ଥିବାବେଳେ ଏହା ସେ ନିଜ ଅଜାଣତରେ ଲେଖିଥିବାରୁ ତାଙ୍କୁ ଏଭଳି ଟ୍ରୋଲ୍ ନ କରିବାକୁ ତାଙ୍କ ଗାଳ୍ପିକ-ସ୍ବାମୀ ଅନୀଲ ପାଢ଼ୀ ନିଜ ପୋଷ୍ଟରେ ଅନୁରୋଧ କରିଥିଲେ। ଅନ୍ୟ ପକ୍ଷରେ ଡ. ଚୋୖଧୁରୀ ମାନସିକ ଅବସାଦଗ୍ରସ୍ତ ଥିବାନେଇ ୧୨ ନଭେମ୍ବର ୨୦୧୧ ମସିହାର ଏକ ଡାକ୍ତରୀ ପ୍ରେସ୍କ୍ରିପସନ ମଧ୍ୟ ଉପସ୍ଥାପନ କରିବା କୋୖତୂହଳ ସୃଷ୍ଟି କରିଛି। ରାଜ୍ୟର ଜଣାଶୁଣା ସାହିତ୍ୟିକମାନେ ଏହି ଘଟଣାକ୍ରମରେ ମତମନ୍ତବ୍ୟ ଜାରି ରଖିଥିବା ବେଳେ ମୂଳ ଲେଖାର ଲେଖକ ଓ ସର୍ଟଫିଲ୍ମର ନିର୍ଦ୍ଦେଶକ ବିଲାଲ ହାସନ ନିଜ ପୋଷ୍ଟରେ କହିଛନ୍ତି, ୨୦୧୭ରେ ହିଁ ଏହି ଫିଲ୍ମ-ପାଣ୍ଡୁଲିପିଟିର ମୁମ୍ବାଇ ଫିଲ୍ମ-ରାଇଟର୍ ଏସୋସିଏସନରେ କପିରାଇଟ୍ କରାଯାଇଥିଲା। ଏହି ସର୍ଟ-ଫିଲ୍ମଟି ୨୦୧୮ରେ ମୁକ୍ତିଲାଭ କରିଥିଲା। ଏପରିକି ୨୦୧୯ ମସିହାର ଫିଲ୍ମଫେୟାର ପୁରସ୍କାର ପାଇଁ ମଧ୍ୟ ଏହା ନାମାଙ୍କିତ ହୋଇଥିଲା।

ଏହି ବିବାଦୀୟ ଘଟଣାରେ ପୂର୍ଣ୍ଣଛେଦ ଟାଣିବା ପାଇଁ ସଂପୃକ୍ତ ବିବାଦୀୟ ଗଳ୍ପର ଲେଖିକା ଡ.ଚୋୖଧୁରୀ ମୂଳ ଲେଖକ ହାସନଙ୍କୁ ଏସଏମଏସ ଦେଇ ଏସବୁ ତାଙ୍କ ଅଜାଣତରେ ହୋଇଥିବାରୁ ସେ ନିଜ ଲେଖାକୁ ଅଗ୍ରାହ୍ୟ କରିଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ତାଙ୍କର ଏହି ସ୍ପଷ୍ଟୀକରଣ ବିଶ୍ବାସଯୋଗ୍ୟ ହୋଇନଥିବାରୁ ଡ. ଚୋୖଧୁରୀ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରି ତାଙ୍କୁ ଚିଠି ନଲେଖିଲେ ତାଙ୍କ ପ୍ରଯୋଜକ ତାଙ୍କ ବିରୋଧରେ କପିରାଇଟ ଆକ୍ଟ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ମୂଳ ଲେଖକ ବିଲାଲ ସୂଚନା ଦେଇଥିଲେ। ଏହାପରେ ସୋମବାର ରାତିରେ ଡ. ଚୋୖଧୁରୀ ନିଜ ଟାଇମ୍‌ଲାଇନ୍‌ରେ ଏ ନେଇ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ମାନସିକ ଦୁଃସ୍ଥିତିରେ ଥିବାରୁ ଏପରି ହୋଇଥିବା ଦର୍ଶାଇଛନ୍ତି। ଡ. ଚୋୖଧୁରୀଙ୍କ ଏହି ପୋଷ୍ଟ ପରେ ଏହି ବିବାଦ ଏହିଠାରେ ପୂର୍ଣ୍ଣଛେଦ ପଡ଼ିବା ଆଶା କରାଯାଉଛି।

ସୂଚନ‌ାଯୋଗ୍ୟ, ଗତ କିଛିବର୍ଷ ହେଲା, ଓଡ଼ିଆ ସାହିତ୍ୟ ଜଗତରେ କିଛି ଲେଖକଙ୍କ ବିରୋଧରେ ଏଭଳି ଅଭିଯୋଗମାନ ଆସୁଥିଲେ ହେଁ ଏପରି ଅ‌େନୖତିକ ଆଚରଣର ପୁନରାବୃତ୍ତିକୁ ରୋକାଯାଇପାରିନାହିଁ। ଏପରିକି ପୂର୍ବରୁ ଅନୁରୂପ ଭାବେ ଧରାପଡ଼ି ସର୍ବସମକ୍ଷରେ ନିନ୍ଦିତ ହେବାପରେ ମଧ୍ୟ ପରବର୍ତ୍ତୀ ସମୟରେ ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ଲୋକେ ଯୋଗ୍ୟ ହେବାର ଦୃଷ୍ଟାନ୍ତ ରହିଛି। ଅନ୍ୟ ପକ୍ଷରେ, ଯଦି କୋୖଣସି ମୂଳ ଲେଖାକୁ କେହି ନକଲ କରି ନୂଆ ଲେଖାଟିଏ ଲେଖନ୍ତି, ତାକୁ ଅନୁସୃଜନ ବୋଲି ଦାବି କରି ମୂଳ ଲେଖକଙ୍କ ନାମ ଉଲ୍ଲେଖ କଲେ ଏପରି ଅସ୍ବସ୍ତିକର ପରିସ୍ଥିତି ହୁଅନ୍ତା ନାହିଁ ବୋଲି ବହୁ ସାହିତ୍ୟିକ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର