ମହାନଦୀରେ ଦୀର୍ଘତମ ସେତୁ : ଗୋପୀନାଥପୁର-ବୈଦେଶ୍ୱର ସେତୁ ନିର୍ମାଣର ଶୁଭାରମ୍ଭ, ଅଢେଇ ବର୍ଷରେ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ

କଟକ/ବଡମ୍ବା : ମହାନଦୀ ଉପରେ ନିର୍ମାଣ ହେବ ରାଜ୍ୟର ଦୀର୍ଘତମ ସେତୁ। ୧୩୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଗୋପୀନାଥପୁର-ବୈଦେଶ୍ୱର ସେତୁର ଆଜି ଶୁଭାରମ୍ଭ ହୋଇଛି। ଗୋପୀନାଥପୁରଠାରେ ଆଜି ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେତୁର ଲମ୍ବ ପ୍ରାୟ ୩.୧୧୯ କି.ମି ରହିବ। ଏହା ଦ୍ୱାରା ମହାନଦୀର ମଧ୍ୟଭାଗରେ ଥିବା ପ୍ରସ୍ତର କାରୁକାର୍ଯ୍ୟପୂର୍ଣ୍ଣ ପ୍ରସିଦ୍ଧ ସିଂହନାଥ ମନ୍ଦିରକୁ ମଧ୍ୟ ଗମନାଗମନ ସମ୍ଭବ ହେବ। ଅଢେଇବର୍ଷ ଭିତରେ ସେତୁ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମହାନଦୀରେ ଏହା ରାଜ୍ୟର ୨୨ତମ ସେତୁ ହେବାକୁ ଯାଉଛି।

ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦ୍‌ଘାଟକ, ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀ ଦେବ ନାରାୟଣ ପାଲ, ବଡ଼ମ୍ବା ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

ବଡମ୍ବା-ନରସିଂହପୁର ଅଂଚଳର ବିକାଶ ପାଇଁ କମଳାଡିହ ରାସ୍ତା ପାଇଁ ୧୭ କୋଟି ଟଙ୍କା ମଂଜୁର କରାଯିବା ସହ ଖୁଣ୍ଟୁଣୀ-ନରସିଂହପୁର ରାସ୍ତା ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ନେଇ ସମୀକ୍ଷା କରାଯିବ ବୋଲି ଏହି ଅବସରରେ ପୂର୍ତ୍ତମନ୍ତ୍ରୀ ସୂଚନା ଦେଇଥିଲେ। ରାଜ୍ୟ ସରକାର ନାବାର୍ଡ ସହାୟତାରେ ଏହି ସେତୁ ନିର୍ମାଣ କରୁଛନ୍ତି।

କାର୍ଯ୍ୟକ୍ରମ ଅବସରରେ ଗୋପୀନାଥପୁର, ମୁଗଗହୀର, ତେଲେଣିଆ, ଶଂଖାମେରୀ ଆଦି ନଦୀକୂଳ ଅଞ୍ଚଳର ୧୨ଶହରୁ ଉର୍ଦ୍ଧ୍ୱ ମହିଳା କଳସ ଶୋଭାଯାତ୍ରାରେ ଆସି ଭୂମି ପୂଜନରେ ସାମିଲ ହୋଇଥିଲେ। ୨୦୧୪ ମସିହାରେ ଏହି ସେତୁର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ। କିଛି ମାସ ତଳେ ଏହି ପ୍ରକଳ୍ପ କ୍ୟାବିନେଟ ମଞ୍ଜୁରୀ ପାଇଥିଲା। ବିଧାୟକ ଦେବୀ ମିଶ୍ର ଏଭଳି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଅଂଚଳବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର