୧୭ରେ ଝଡ଼ବର୍ଷା, ୧୯ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର : ମାର୍ଚ୍ଚ ୧୭ରେ ଓଡ଼ିଶାରେ ଝଡ଼ବର୍ଷା। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଉତ୍ତର ଓଡ଼ିଶାରେ କିନ୍ତୁ ପ୍ରବଳ ବର୍ଷା ଲାଗିରହିବ। ଏହାକୁ ଦୃଷ୍ଟିରେ ରଖି ୧୭ ତାରିଖ ପାଇଁ ରାଜ୍ୟରେ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଯଥା କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଓ ଖୋର୍ଧାରେ କାଳବୈଶାଖୀ ପ୍ରଭାବ ରହିବ। ଉକ୍ତ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ଘନଘନ ବଜ୍ରପାତ ହେବ। ୧୬ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ବାଲେଶ୍ବର, ଭଦ୍ରକ, ଖୋର୍ଧା, ନୟାଗଡ଼ ସମେତ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ୧୭ ତାରିଖ ସକାଳୁ ସାରା ରାଜ୍ୟରେ କୋହଲା ପାଗ ଲାଗିରହିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ଏହି ସମୟରେ ଉତ୍ତର ଓଡ଼ିଶା ସମେତ ଖୋର୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ। ହେଲେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଯାହାକି ୧୮ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗିରହିବ।

ଅନ୍ୟପକ୍ଷରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ମାଲକାନଗିରିରେ ୩୮.୫, ଭବାନୀପାଟଣା, ବଲାଙ୍ଗୀର, ସୋନପୁରରେ ୩୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି। ଭୁବନେଶ୍ବରର ତାପମାତ୍ରା ୩୬.୭ ଡିଗ୍ରି ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚନ୍ଦବାଲି, ଅନୁଗୁଳ, କେନ୍ଦୁଝର, ଦାରିଙ୍ଗବାଡ଼ିରେ ହାଲକା ବର୍ଷା ହୋଇଛି।

ସମ୍ବନ୍ଧିତ ଖବର