୧୭ରେ ପ୍ରବଳ ଝଡ଼ବର୍ଷା : ଅର୍ଧାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ କୋହଲା ପାଗ ଜାରି ରହିଛି। ଭୁବନେଶ୍ବରରୁ ଭଦ୍ରକ ହେଉ ଅଥବା ବାଲେଶ୍ବରରୁ ବଲାଙ୍ଗୀର, ସବୁଠି ତାପମାତ୍ରା ୩ରୁ ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ପାଗ ଶୁଖିଲା ରହିବ। କନ୍ଧମାଳ, ନୟାଗଡ଼, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସହ କାଳବୈଶାଖୀ ପ୍ରଭାବ ରହିବ। ହେଲେ ୧୭ ତାରିଖଠାରୁ ରାଜ୍ୟର ପାଣିପାଗ ସମ୍ପୂର୍ଣ୍ଣ ରୂପେ ବଦଳିଯିବ। ଅର୍ଧାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ପ୍ରଭାବ ପଡ଼ିବ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପୂର୍ବାନୁମାନ ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ଭିତରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କଟକ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏହାପରେ ପାଗ ଶୁଖିଲା ରହିବ। କିନ୍ତୁ ୧୭ ତାରିଖରୁ ପାଗ ସମ୍ପୂର୍ଣ୍ଣ ବଦଳିଯିବ। ୧୯ଟି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ହେବ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୦ରୁ ୧୫ ମିମି ବର୍ଷା ହେବ। ଦକ୍ଷିଣ ପଶ୍ଚିମ ଓଡ଼ିଶାରେ କୋହଲା ପାଗ ଲାଗି ରହିବ। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୧୮.୨ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବର, କଟକ, ଅନୁଗୁଳ, ସୁନ୍ଦରଗଡ଼, ତାଳଚେର ପ୍ରଭୃତି ସ୍ଥାନରେ ହାଲକା ବର୍ଷା ହୋଇଛି।

ସମ୍ବନ୍ଧିତ ଖବର