ଆସନ୍ତା ୧୫ ଓ ୧୬ରେ ଝଡ଼ ତୋଫାନ ସମ୍ଭାବନା

ଭୁବନେଶ୍ବର : ଆଭ୍ୟନ୍ତରୀଣ ଅଞ୍ଚଳ‌ରେ ଅତିରିକ୍ତ ଝଡ଼ ଯୋଗୁଁ ଦିନରେ ଗରମ ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଚଳିତ ବର୍ଷ ଏହି ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍ସ)ର ଗତି ବାରମ୍ବାର ପୂର୍ବ ଭାରତ ମୁହାଁ ହେଉଛି। ଏହାର ପ୍ରଭାବରେ ଆସନ୍ତା ୧୫ ଓ ୧୬ ତାରିଖରେ ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏଥିସହ ୧୬ ଓ ୧୭ ତାରିଖରେ ଉପକୂଳ ଜିଲ୍ଲାମାନଙ୍କରେ ପାଗ ଖରାପ ରହିବ ବୋଲି ସୂଚନା ମିଳିଛି।

ମୁଖ୍ୟତଃ ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଯାଜପୁର, ଭଦ୍ରକ ଓ ଅନୁଗୁଳ ଜିଲ୍ଲାରେ ୧୫ ଓ ୧୬ ତାରିଖରେ ବର୍ଷା ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଥିବା ବେଳେ ୧୬ ଓ ୧୭ ତାରିଖ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ହାଲକା ବର୍ଷା ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ରହିଛି। ସେହିପରି ୧୪ ତାରିଖରେ କୁହୁଡ଼ି ଦେଖାଦେଇପାରେ ବୋଲି ସୂଚନା ଦିଆଯାଇଛି।

ବାରମ୍ବାର ୱେଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍ସ ହେଉଥିବାରୁ ଦିନରେ ଗରମ ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ଗରମ ବଢ଼ୁଛି। ରାତିରେ ସାମୁଦ୍ରିକ ପବନ ବହିବା ବନ୍ଦ ହୋଇଯାଉଥିବାରୁ ଥଣ୍ଡା ଅନୁଭୂତ ହେଉଛି। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର କିଛି ସ୍ଥାନରେ ଘଡ଼ଘଡ଼ି, ବୁଜୁଳି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର