୩୧ରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ଝଡ଼ବର୍ଷା

ଭୁବନେଶ୍ବର : ମାର୍ଚ୍ଚ ୩୧ରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଲାଗି ରହିବ। ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ହୋଇପାରେ। କାଁ ଭାଁ ସ୍ଥାନରେ ପବନର ବେଗ ଅଧିକ ରହିବ। ୩ ଦିନ ଧରି ଏଭଳି ସ୍ଥିତି ରହିବାର ଆଶଙ୍କା ରହିଛି। ଶୁକ୍ରବାରଠାରୁ ପାଗ ଶୁଖିଲା ରହିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣପାଗ ବିଜ୍ଞାନ କେନ୍ଦ୍ର। ଆହୁରି କୁହାଯାଇଛି ଯେ ୨୯ ଓ ୩୦ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ। ବିଶେଷକରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ନୟାଗଡ଼, ଖୋର୍ଧା, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଗତ ଦୁଇ ଦିନ ପରି ଆଜି ମଧ୍ୟ ମାଲକାନଗିରି ଜିଲ୍ଲାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ କରାଯାଇଛି। ବାକି ୧୪ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରି ଉପରେ ରହିଥିଲା।

ସମ୍ବନ୍ଧିତ ଖବର