ଜେଲ୍ ଫେରନ୍ତା ଭୁବନ ମାଝୀର କରୁଣ କାହାଣୀ

ନୂଆପଡ଼ା:(ଅଶ୍ବିନୀ ପାଣିଗ୍ରାହୀ): ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ତ ଭୋଗ କରି ଜେଲରୁ ୧୮ ବର୍ଷ ପରେ ବାହାରିଲା ଭୁବନ ମାଝୀ। ୧୮ ବର୍ଷ ପରେ ମୁକ୍ତି ପାଇଲା ଅନ୍ଧକାର କାଳ କୋଠରୀରୁ ଗାଁକୁ ଫେରିଲା । ପରିବାର ଲୋକ ପଚାରିଲେ ନାହିଁ କି ଗାଁ ଲୋକେ ବି ଗ୍ରହଣ କଲେ ନାହିଁ । ଭାଙ୍ଗି ଯାଇଥିଲା ତାର ସ୍ୱପ୍ନର ଘର । ନିରାଶ ହୋଇ ପଡିଥିଲା ଭୁବନ ।
ନୂଆପଡା ଜିଲ୍ଲା ସଦର ଥାନା ଗୋଳାବନ୍ଧ ଗାଁର ଭୁବନ ମାଝୀ, ସୁନ୍ଦର ପରିବାରଟିଏ ଥିଲା । ସ୍ତ୍ରୀ ପାନ ମାଝୀ, ଝିଅ ଦୌପଦୀ ଓ ପୁଅ ମୋହନ ହସ ଖୁସିରେ ଚଳି ଯାଉଥିଲା ସୁନାର ସଂସାର । କିନ୍ତୁ ଖୁସି ସବୁ ଦିନ ରହି ପାରିଲା ନାହିଁ । ୨୦୦୧ ମସିହା ଅକ୍ଟୋବର ମାସରେ କୌଣସି କାରଣରୁ ସ୍ତ୍ରୀ ପାନ ସହ ସାମାନ୍ୟ କଥାକୁ ନେଇ ଝଗଡା ହେଲା । ରାଗରେ କିଛି ବିଚାର କରିପାରିଲା ନାହିଁ ଭୁବନ । ଘରେ ଥିବା ଟାଙ୍ଗିଆରେ ସ୍ତ୍ରୀ ପାନକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ପାନ ଚିର ନିଦ୍ରାରେ ଶୋଇ ପଡିଲା। ମଣିଷ ମାରିବା ଅଭିଯୋଗରେ ଭୁବନ ବନ୍ଧା ହେଲା। ସ୍ତ୍ରୀ ହତ୍ୟା ଅଭିଯୋଗରେ ତାକୁ ଆଜୀବନ କାରାଦଣ୍ତ ଆଦେଶ ହେଲା। କାରାଦଣ୍ତାଦେଶ ହେବା ପରେ ଭୁବନ ନୂଆପଡା, ଖଡିଆଳ ଓ କଳାହାଣ୍ଡି ଜେଲରେ କାଳ କୋଠରୀରେ ରହିଲା । ଜେଲରେ କାମ କଲା ସେ ଦୈନିକ ୪୦ ଟଙ୍କା ମଜୁରୀ ବି ପାଉ ଥିଲା । ଜେଲରୁ ଗତ ଅକ୍ଟୋବର ମାସରେ ୧୮ ବର୍ଷ କାରାଦଣ୍ତ ଭୋଗି ମୁକ୍ତ ହୋଇଥିଲା ।

ପରିବାର ନାହିଁ ସେଦିନର କୁନିଝିଅ ଦୌପଦୀର ବାହାଘର ସରିଯାଇଛି। ପୁଅ ମୋହନ ଭୁବନେଶ୍ୱରରେ ପାଠ ପଢୁଛି । ଜେଲ ବିଭାଗ ଦ୍ୱାରା ସେ ପାଠ ପଢୁଛି । କିନ୍ତୁ ଗାଁରେ ପରିବାର ଲୋକ ତାକୁ ଆଉ ଗ୍ରହଣ କଲେ ନାହିଁ । ଶେଷରେ କାହା ଘର ବାରଣ୍ତା, କେଉଁ ସ୍କୁଲ, ଅଙ୍ଗନବାଡିରେ ରାତି ଶୋଇଲା, ଲୋକଙ୍କୁ ମାଗିଯାଚି ଖାଇଲା । କେବେ ଏ ଗାଁ ତ କେବେ ଆଉ କେଉଁ ଗାଁରେ ଦିନ ବିତିଲା।

ବୁଲୁବୁଲୁ ଦିନେ କୋମନା ଥାନା ଗଡଗଡବାହାଲି ଗାଁକୁ ଆସି ଥିଲା । ସେଠାରେ ହେମଲାଲ ରଣା ନାମକ ବ୍ୟକ୍ତି ଜଣକ ତାକୁ ଚିହ୍ନିଲେ । କାରଣ ହେମଲାଲ ରଣା ବି ଦିନେ ଏକ ହତ୍ୟା ମାମଲାରେ ଖଡିଆଳ ସବ୍ ଜେଲରେ ଥିଲେ । ଭୁବନର କଥା ଶୁଣି ଏବେ ସେ ନିଜ ଘରେ ଆଶ୍ରା ଦେଇଛନ୍ତି । ଭୁବନ ପାଖରେ ଏବେ ରାସନ କାର୍ଡ କି ରହିବାକୁ ଘର ବି ନାହିଁ । ପୁଣି ଜେଲରେ ମଜୁରୀ କରି ଥିବା ଟଙ୍କା ବି ସେ ପାଇନି । ହେମଲାଲ ନୂଆପଡା ଉପ ଜିଲ୍ଲାପାଳ ତରଣୀସେନ ନାଏକଙ୍କୁ ଭେଟି ଭୁବନର ଦୁଃଖର କାହାଣୀ ଜଣାଇଥିଲେ । ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର