ନୟାଗଡ଼ ମ୍ୟୁନିସିପାଲିଟିର ନିୟମ ଏମିତି : ପୁଣି ରାସ୍ତାରେ ବସିଲେଣି ଦୋକାନୀ, ଚଢ଼ଉ ଲୋକଦେଖାଣିଆ

ନୟାଗଡ଼ : ନୟାଗଡ଼ ମ୍ୟୁନିସିପାଲିଟିର ସବୁ ନିୟମ ଦୁଇଦିନିଆ। ସହରକୁ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତ କରିବା, ରାସ୍ତା ଅବରୋଧ କରି ବସୁଥିବା ଦୋକାନୀଙ୍କୁ ଉଠାଇବା, ସ୍ବଚ୍ଛ ସୁନ୍ଦରତା ପ୍ରତି ଧ୍ୟାନ ଦେବା, ପଲିଥିନ୍ ବ୍ୟବହାର ବନ୍ଦ କରିବା ଓ ପଲିଥିନ୍ ବିକ୍ରି କରୁଥିବା ଲୋକଠାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବା କଥା କେବଳ ବୈଠକ ଭିତରେ ସୀମିତ ରହିଯାଉଛି। ଲୋକ ଦେଖାଣିଆ ଭାବେ ମ୍ୟୁନିସିପାଲିଟିର ସ୍କ୍ବାଡ୍‌ କିଛି ଦିନ ଧରି ଏସବୁ କଲେ। ବର୍ତ୍ତମାନ ପୁନଃମୂଷିକ ଭବ ସ୍ଥିତି। ଲୋକେ ଯେମିତି ସମସ୍ୟା ଭୋଗୁଥିଲେ, ଏବେବି ସେମିତି ଭୋଗୁଛନ୍ତି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଦେଖି ନଦେଖିଲା ଭଳି ହେଉଛନ୍ତି, ଆଉ ଜନତା ନାଚାର। ନୟାଗଡ଼ ରାଜୀବ ମାର୍କେଟ୍ ସମ୍ମୁଖ, ଓଡ଼ଗାଁ ଛକ, ତ୍ରିନାଥ ଛକ ସବୁଠି ରାସ୍ତା ଉପରେ ଦୋକାନୀ ବସୁଛନ୍ତି। ଗତ ଜୁଲାଇ ୧ ତାରିଖରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଜୋର୍‌ଦାର ଚଢ଼ଉ କରିଥିଲେ। ସମସ୍ତ ଉଠା ଦୋକାନୀଙ୍କୁ ରାସ୍ତାରୁ ହଟାଇ ଦେଇଥି‌‌ଲେ। କାରଣ ନୟାଗଡ଼ ସହରରେ ପ୍ରତିଦିନ ଘଟୁଥିବା ଛୋଟବଡ଼ ଦୁର୍ଘଟଣାର ଅନ୍ୟତମ କାରଣ ଥିଲା ଏଭଳି ରାସ୍ତା ଅବରୋଧ। କିନ୍ତୁ ବର୍ତ୍ତମାନ ଉଠାଦୋକାନୀଙ୍କ ସଂଖ୍ୟା ରାସ୍ତା ଉପରେ ଆହୁରି ଅଧିକ ବଢ଼ିଥିବା ‌ଦେଖାଗଲାଣି।

ଯେଉଁ ଦୋକାନୀମାନଙ୍କର ଚାଳିଆ ମ୍ୟୁନିସିପାଲିଟି ଉଠାଇ ଦେଇଥିଲା, ବର୍ତ୍ତମାନ ସେଠାରେ ପୁଣି ଚାଳିଆ ଗଢ଼ି ଉଠିଲାଣି। ରାସ୍ତା ଉପରେ ଫାଷ୍ଟ୍‌ଫୁଡ୍ ଷ୍ଟଲ୍, ଛତୁ ଦୋକାନ, କଦଳୀ ଦେକାନ ଆଦି ପୁଣି ଖୋଲିଲାଣି। ପ୍ରତିଯୋଗିତା କରି ଦୋକାନୀମାନେ ରାସ୍ତା ଉପରକୁ ମାଡ଼ି ବସୁଛନ୍ତି। ଏହା ପରେ ପୁଣି ଗ୍ରାହକଙ୍କ ଭିଡ଼ ଜମିଲା ବେଳକୁ ସ୍ଥିତି ସାଂଘାତିକ। ଏହା ଜିଲ୍ଲା ସଦର ମହକୁମା ହୋଇଥିବାରୁ ଜିଲ୍ଲାପାଳ, ଏସ୍‌ପିଙ୍କଠାରୁ ଆରମ୍ଭ କରି ସବୁ ମୁଖ୍ୟ ଅଧିକାରୀ ଏଇ ବାଟ ଦେଇ ଚଳାଚଳ କରୁଛନ୍ତି। କିନ୍ତୁ ସ୍ଥିତିରେ ସ୍ଥାୟୀ ସୁଧାର ଆସୁନାହିଁ। ଖୋଦ୍ ଜିଲ୍ଲାପାଳ ସଡ଼କ ସୁରକ୍ଷା ବୈଠକରେ ଉଠାଦୋକାନୀଙ୍କୁ ହଟାଇବାକୁ ନିର୍ଦେଶ ଦେବା ସହିତ ଅନ୍ୟ ସ୍ଥାନରେ ବ୍ୟବସ୍ଥା କରିବାକୁ କହିଥିଲେ। କିନ୍ତୁ ଏହାକୁ ପାଳନ କରାଯାଉନାହିଁ। ମ୍ୟୁନିସିପାଲିଟିର ଭେଣ୍ଡିଂ ଜୋନ୍ ବ୍ୟବସ୍ଥା ମଧ୍ୟ ଶୀତଳ ଭଣ୍ଡାରରେ ପଡ଼ିରହିଛି। ଜୁଲାଇ ମାସ ଆରମ୍ଭରେ ଚଢ଼ଉ କରାଯାଇଥିବା ବେଳେ ଅଗଷ୍ଟ, ସେପ୍ଟେମ୍ବର ମାସରେ ମ୍ୟୁନିସିପାଲିଟି ସ୍କ୍ବାଡ୍‌ ନିଦରେ ଥିବା ଭଳି ଅନୁଭୂତ ହେଉଛି।

ସେହିଭଳି ପ୍ଲାଷ୍ଟିକ ଆବର୍ଜନାର ଭୟାବହତା ଦୃଷ୍ଟିରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଢେର୍‌ ସଚେତନତା କାର୍ଯ୍ୟକ୍ରମ କରିଥି‌ଲେ। ପ୍ରଚାର ଗାଡ଼ି ବୁଲାଇ ଦୋକାନୀ, ଗୋଦାମ ମାଲିକ, ସାଧାରଣ ଲୋକଙ୍କୁ ପଲିଥିନ୍ ବିକିବା, ବ୍ୟବହାର କରିବାକୁ ନିଷେଧାଦେଶ ଜାରି କରିଥିଲେ। କିନ୍ତୁ ବର୍ତ୍ତମାନ ସବୁ ଦୋକାନରେ ମାଳ ମାଳ ଜରି ଦେଖିବାକୁ ମିଳୁଛି। କାର୍ଯ୍ୟନୁଷ୍ଠାନ କମ୍ ହେଉଥିବାରୁ ଦୋକାନୀ ତଥା ଜରି ଗୋଦାମ ମାଲିକ ବି ଏସବୁ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟର ବ୍ୟବସ୍ଥା କରାଯାଇଥିବା ବେଳେ ସବୁ ନିୟମ ବର୍ତ୍ତମାନ ଚୁଲି ଗଲାଣି। ମ୍ୟୁନିସିପାଲିଟି ପଲିଥିନ୍ ହଟାଇବାକୁ ପାଇଁ ୧୦ ଜଣିଆ ଫ୍ଲାଇଂ ସ୍କ୍ବାଡ୍‌ ବ୍ୟବସ୍ଥା କରିଥିଲା। ଜୁଲାଇ ମାସ ପ୍ରାରମ୍ଭରେ ୧୨ କେଜି ପଲିଥିନ୍ ଜବତ କରି ଫାଇନ୍ ବାବଦକୁ ୧୪ ହଜାର ଟଙ୍କା ଆଦାୟ କରିଥିଲା‌। କିନ୍ତୁ ଏହି ନିୟମକୁ ଆଉ କଡ଼ାକଡ଼ି ପାଳନ କରାଯାଉନି କି ସ୍କ୍ବାଡ୍‌କୁ ଦେଖିବାକୁ ମିଳୁନି। ଏ ସମ୍ପର୍କରେ ମ୍ୟୁନିସିପାଲିଟିର ୱାରେଣ୍ଟ୍ ଅଫିସର ନାରାୟଣ ନାୟକ କହିଛନ୍ତି, ପଲିଥିନ୍ ନେଇ ଏବେ ବି ଆମେ ତଦାରଖ କରୁଛୁ, ଉଠାଦୋକାନୀମାନେ ପୁନର୍ବାର ଆସ୍ଥାନ ଜମାଇବା ଆମ ନଜରକୁ ଆସିଛି। ଆମେ ପୁଣି ଥରେ ଚଢ଼ଉ କରି ସେମାନଙ୍କୁ ହଟାଇବୁ।

ସମ୍ବନ୍ଧିତ ଖବର