ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କଂଗ୍ରେସ କର୍ମୀଙ୍କ ଧସେଇ ପଶିବାକୁ ଉଦ୍ୟମ

ବରଗଡ଼: କଂଗ୍ରେସର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ବେଳେ ପୁଲିସ୍‌ ସହ ଧସ୍ତାଧସ୍ତି, ଠେଲାପେଲା ହୋଇଥିଲା। ପୁଲିସ୍‌ ପ୍ରତିରୋଧ କରିବାରୁ କିଛି ସମୟ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା। ତେବେ ପୁନର୍ବାର କାର୍ଯ୍ୟାଳୟକୁ ବଳପୂର୍ବକ ପଶିବାକୁ ଉଦ୍ୟମ କରୁଥିବାବେଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପ୍ରକାଶଚନ୍ଦ୍ର ଦେବତା, ରିପୁନାଥ ସେଠ, ପୂର୍ବତନ ବାଚସ୍ପତି କିଶୋର ପଟେଲ, ପୂର୍ବତନ ବିଧାୟକ ସାଧୁ ନେପାକ, ସତ୍ୟ ଭୂଷଣ ସାହୁ ଓ ନିହାର ମହାନନ୍ଦ, ଜିଲ୍ଲା ସଭାପତି ଅନନ୍ତ ଶୟନ ପାଢ଼ୀ, ପିସିସି ସଂପାଦକ ଆନନ୍ଦ ପ୍ରଧାନ ଓ ହରଦୀପ ସିଂହ, ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି, କୃଷକ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଏବଂ ସଂପାଦକ ସଂଜୀବ ଦାସ, ପ୍ରଣୟ ସାହୁ, ପାଣ୍ଡବ କର୍ଣ୍ଣ, ନାଭ ଚୌହାନ, ନିପନ ଦାସ, ବର୍ମା ମହାକୁରଙ୍କ ସମେତ ୨୭ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ପରେ ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ଛାଡ଼ି ଦେଇଥିଲା। ତେବେ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପ୍ରଥମେ ଗୋଶାଳା ଛକରୁ ବାଇକ ରାଲିରେ ବାହାରି ନେତା ଓ କର୍ମୀମାନେ ସହରକୁ ପ୍ରବେଶ କରିଥିଲେ। ଏଠାରେ ଶୋଭାଯାତ୍ରା କରିବା ପରେ ଜିଲ୍ଲାପାଳଙ୍କ ଦପ୍ତର ଘେରିବାକୁ ପହଂଚିଥିଲେ।

ଦପ୍ତରର ମୁଖ୍ୟ ଫାଟକରେ ବ୍ୟାପକ ଫୋର୍ସ ଏବଂ ବ୍ୟାରିକେଡ ବ୍ୟବସ୍ଥା ଥିଲା। ଆଗତୁରା ଫାଟକରେ ତାଲା ମଧ୍ୟ ଲଗା ଯାଇଥିଲା। ହେଲେ କର୍ମୀମାନେ ପଛପଟ ଫାଟକ ଦେଇ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ବେଶ୍‌ କିଛି ସମୟ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଘଟଣାସ୍ଥଳକୁ ପହଂଚିଥିଲେ। ପରେ ଦାବିପତ୍ର ନେଇ ନିଜ ଦପ୍ତରକୁ ଫେରିଥିଲେ। ହେଲେ ଏତିକିରେ ଆନ୍ଦୋଳନ ଥମିନଥିଲା। ଚାଷୀ ଏବଂ ଚାଷ ସମସ୍ୟା ନେଇ ସରକାରଙ୍କୁ ତୁରନ୍ତ ଅବଗତ କରିବାକୁ ନେତାମାନେ ଜିଦ୍‌ କରିଥିଲେ। ଜିଲ୍ଲାପାଳ ଶ୍ରୀ ପାଢ଼ୀ ପ୍ରତିଶ୍ରୁତି ଦେଇଥିଲେ ହେଁ ଆନ୍ଦୋଳନ ଥମିନଥିଲା। ପୁନର୍ବାର ଧସ୍ତାଧସ୍ତି ଆରମ୍ଭ ହେବା ପରେ ପୁଲିସ୍‌ ୨୭ଜଣଙ୍କୁ ଗିରଫ କରିଥିଲା। ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଉଚିତ ଥଇଥାନ, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ଧାର୍ଯ୍ୟ, ଚାଷୀଙ୍କୁ ସଂପୂର୍ଣ୍ଣ ଋଣ ଛାଡ, କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ଇନ୍‌ପୁଟ୍‌ ସବସିଡି, ଉଠା ଜଳସେଚନକୁ ମାଗଣା ବିଜୁଳି ଆଦି ଦାବି ୮ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୩ରୁ ୬ ତାରିଖ ଯାଏ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଅନ୍ୟପକ୍ଷରେ ଚାଷୀଙ୍କୁ ହକ୍‌ ନମଳିବା ଯାଏଁ ଆସନ୍ତା ୧୯ ତାରିଖରୁ ପ୍ରତି ବ୍ଲକରେ ଆନ୍ଦୋଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର