ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଓ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ୍ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଏବଂ ସହରର ବାଜି ଚୌକଠାରେ ଥିବା ପୁରୁଣା ହସ୍ପିଟାଲ୍ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ ହେଉଛି । ମିଳିତ ନାଗରିକ କ୍ରିୟାନୁଷ୍ଠାନ କମିଟି  ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ ହେଉଛି ।

ଏହି ବନ୍ଦ ଡାକରାରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀଙ୍କ ସହ ବଣିକ ସଂଘ, ଓକିଲ ସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ, ମିଳିତ ବଜାର ପୂଜାବଜାର କମିଟି, ବରିଷ୍ଠ ନାଗରିକ ମଞ୍ଚ  ଜଗତ ଉଦ୍ଧାର ମଞ୍ଚ, ବେସରକାରୀ ବସ୍ ମାଲିକ ସଂଘ ଏବଂ ଟ୍ରକ୍ ମାଲିକ ସଂଘ ସାମିଲ ହୋଇଛନ୍ତି। ଏହା ପ୍ରଭାବରେ ସହରରେ ଦୋକାନ ବଜାର ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯାନବାହନ ବନ୍ଦ ରହିଛି। ଖାଲି ସେତିକି ନୁହେଁ ଅଧିକାଂଶ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିଥିବା ଜଣାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମିଳିତ ନାଗରିକ କ୍ରିୟାନୁଷ୍ଠାନ କମିଟି  ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ଏନେଇ ଏକ ସ୍ମାରକ ପତ୍ର ଦିଆଯିବ ବୋଲି ସୂଚନା ମିଳିଛି। ଏଥିରେ ଓକିଲ ସଂଘର ସଭାପତି ସଞ୍ଜୟ କୁମାର ମିଶ୍ର, ମିଳିତ ନାଗରିକ କ୍ରିୟାନୁଷ୍ଠାନ କମିଟିର ରାମଚନ୍ଦ୍ର ପାତ୍ର ଓ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ଚାଲିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର