ବରଗଡ଼ରେ କୋର୍ଟ ବର୍ଜନ ୨୩ରେ; ଅର୍ଥନୈତିକ ଅବରୋଧ ୨୪ରୁ

ବରଗଡ଼ : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ବରଗଡ଼ ଜିଲ୍ଲା ଓକିଲ ସଂଘ ଉପସଭାପତି ସରୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ସଂଘ ଦାବି କରି ଆସୁଛି। ଗତ କିଛି ଦିନ ତଳେ ହାଇକୋର୍ଟ ମୁଖ୍ୟ ବିଚାରପତି ରାଜ୍ୟରେ ଆଉ ଏକ ବେଞ୍ଚ ପ୍ରତିଷ୍ଠା ସପକ୍ଷରେ କହିଥିଲେ। ଯାହାକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ବିରୋଧ କରିବା ସହ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ନିଷ୍ପତ୍ତି ନେଇଛି। ତେବେ ଏହାକୁ ତୀବ୍ର ନିନ୍ଦା କରି ଜିଲ୍ଲା ଓକିଲ ସଂଘ ମୁଖ୍ୟ ବିଚାରପତିଙ୍କୁ ସମର୍ଥନ ଜଣାଇଛି। ଆସନ୍ତା ୨୩ ତାରିଖ ସଂଘର ସଭ୍ୟମାନେ ସମସ୍ତ କାର୍ଯ୍ୟରୁ ନିବୃତ୍ତ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଏବଂ ୨୪ରୁ ୩୦ ତାରିଖ ଯାଏ ସଂଘ ପକ୍ଷରୁ ବରଗଡ଼ଠାରେ ଅର୍ଥନୈତିକ ଅବରୋଧ କରାଯିବ। ଏହି ସମୟରେ ଟ୍ରେଜେରି ସମେତ ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ଅଚଳ କରାଯିବ। ସଂଘର ସଭ୍ୟମାନେ ସମସ୍ତ ପ୍ରକାର ରାଜସ୍ୱ ଏବଂ ନ୍ୟାୟିକ ଅଦାଲତର କାର୍ଯ୍ୟରୁ ନିବୃତ୍ତ ରହିବେ। ବୈଠକରେ ସଂପାଦକ ହେମନ୍ତ ପୁରୋହିତ ଓ ଲଲାଟେନ୍ଦୁ ବେହେରା ମଂଚାସୀନ ଥିଲେ।

ସମ୍ବନ୍ଧିତ ଖବର