କନିଷ୍ଠ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଘଟଣା : ଆଜିଠୁ ଆନ୍ଦୋଳନକାରୀଙ୍କ ରିଲେ ଅନଶନ

ରୋଗୀସେବା ପାଇଁ ଆସିଲେ ଆଉ ୬୦ ଡାକ୍ତର
ଡାକ୍ତର ହୋତାଙ୍କ ସପକ୍ଷରେ ବାହାରିଲେ କିଡ୍‌ନୀ ପ୍ରତିରୋପଣ ରୋଗୀ

କଟକ : ଏସ୍‌ସିବି ମେଡିକାଲ୍‌ରେ କନିଷ୍ଠ ଡାକ୍ତର ଅର୍ଥାତ୍‌ ହାଉସ ସର୍ଜନ, ପିଜି, ଏସ୍‌ଆର୍‌ ଡାକ୍ତରମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରଭାବଶୂନ୍ୟ କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ହୋଇଛି। ଏହାଦ୍ୱାରା ଜରୁରିକାଳୀନ ସେବା ଓ ଆଉଟଡୋର ପରିଚାଳନାରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ବିଭିନ୍ନ ମେଡିକାଲ୍‌ କଲେଜ ଓ ଅନ୍ୟାନ୍ୟ ଜିଲ୍ଲା ମୁଖ୍ୟାଳୟମାନଙ୍କୁ ପ୍ରାୟ ୬୦ଜଣ ଡାକ୍ତରଙ୍କୁ ଅସ୍ଥାୟୀ ଭାବେ ଏସ୍‌ସିବି ମେଡିକାଲ୍‌ରେ ନିଯୁକ୍ତି ଦିଆଯାଇଛି। ଯେପର୍ଯ୍ୟନ୍ତ କନିଷ୍ଠ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ନାହାନ୍ତି, ସେପର୍ଯ୍ୟନ୍ତ ଅସ୍ଥାୟୀ ନିଯୁକ୍ତି ପାଇଥିବା ଡାକ୍ତରମାନେ ଏଠାରେ ରୋଗୀସେବାରେ ନିୟୋଜିତ ରହିବେ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବାକୁ ପୁଣିଥରେ ଓଡ଼ିଶା ମେଡିକାଲ୍‌ ଶିକ୍ଷକ ସଂଘ (ଓମ୍‌ଟା) କଟକ ଶାଖା ପକ୍ଷରୁ କନିଷ୍ଠ ଡାକ୍ତରମାନଙ୍କୁ ଅୁନୁରୋଧ କରାଯାଇଛି। ଆଜି ସଂଘର କାର୍ଯ୍ୟନିର୍ବାହୀ ସମିତି ବୈଠକରେ ତଦନ୍ତ କମିଟି ଦେଇଥିବା ରିପୋର୍ଟ ଉପରେ ସରକାର ତୁରନ୍ତ କିଛି ପଦକ୍ଷେପ ନେଇ ଆନ୍ଦୋଳନରତ ଡାକ୍ତରମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଥିବା ସମ୍ପାଦକ ଡାକ୍ତର ବିଭୂତି ନାୟକ ଜଣାଇଛନ୍ତି।

ଦୀର୍ଘ ଦିନଧରି କନିଷ୍ଠ ଡାକ୍ତରମାନେ ଆନ୍ଦୋଳନ ଚଲାଇଥିଲାବେଳେ ସରକାର ଏହାଉପରେ କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ସୋମବାର ଆନ୍ଦୋଳନକାରୀମାନେ ମେଡିକାଲ୍‌ ମଧ୍ୟରେ ପୁଣି ଏକ ରାଲି କରିଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଘଟଣା ବିଷୟରେ ଅଭିଯୋଗ କରିଛନ୍ତି। ହେଲେ ପଦକ୍ଷେପ ନିଆଯିବା ବିଷୟରେ କୌଣସି ପ୍ରତିଶ୍ରୁତି ନମିଳିବାରୁ ମଙ୍ଗଳବାରଠୁ ୧୨ ଘଣ୍ଟିଆ ରିଲେ ଅନଶନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ରେସିଡେଣ୍ଟ ଡାକ୍ତର ସଂଘର ମୁଖପାତ୍ର ଡାକ୍ତର ମିଲନ ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ୟୁରୋଲୋଜି ବିଭାଗ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ସପକ୍ଷରେ ଏବେ କିଡ୍‌ନୀ ପ୍ରତିରୋପଣ ହୋଇଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ବାହାରିଛନ୍ତି। ଡାକ୍ତର ହୋତାଙ୍କୁ ମେଡିକାଲ୍‌ରୁ ବାହାର କରିବାକୁ ପିଜି ଡାକ୍ତରମାନେ ଯେଉଁ ଜିଦ୍‌ ଧରିଛନ୍ତି, ତାହାକୁ ନିନ୍ଦା କରାଯିବା ସହିତ କିଡ୍‌ନୀ ପ୍ରତିରୋପଣ ୟୁନିଟ୍‌ ବିଷୟରେ କିଛି ନଜାଣି ଜଣେ ଡାକ୍ତରଙ୍କୁ ହଇରାଣ କରାଯିବା ଅନୁଚିତ୍‌ ବୋଲି ବାଲେଶ୍ୱରର ଜୟଶ୍ରୀ ବେହେରା କହିଛନ୍ତି। ଯଦି ପିଜି ଡାକ୍ତରମାନେ ତାଙ୍କ ଆନ୍ଦୋଳନରୁ ନଓହରନ୍ତି ତାହେଲେ ସମସ୍ତ ପ୍ରତିରୋପଣ ରୋଗୀମାନେ ଏକାଠି ହୋଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ଆନ୍ଦୋଳନ କରିବାକୁ ଯୋଜନା କରାଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର