ରାଜ୍ୟର ଭାବମୂର୍ତ୍ତି ନିର୍ମାଣ ନିମନ୍ତେ ବଳିଷ୍ଠ ବ୍ରାଣ୍ଡ୍‌ଗୁଡ଼ିକର ଅଶେଷ ଅବଦାନ ରହିଛି : ମୁଖ୍ୟମନ୍ତ୍ରୀ

ସମ୍ବାଦ କର୍ପୋରେଟ୍‌ ଏକ୍ସିଲେସ୍ସ ଆଓ୍ଵାର୍ଡସ୍‌ ୨୦୨୦

ଭୁବନେଶ୍ୱର: ଦେଶର ବା ରାଜ୍ୟର ଭାବମୂର୍ତ୍ତି ନିର୍ମାଣ ନିମନ୍ତେ ବଳିଷ୍ଠ ବ୍ରାଣ୍ଡ୍‌ଗୁଡ଼ିକର ଅଶେଷ ଅବଦାନ ରହିଛି ବୋଲି ଆଜି ‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍‌ ଏକ୍ସିଲେସ୍ସ ଆଓ୍ଵାର୍ଡସ୍‌ ୨୦୨୦ ପୁରସ୍କାର ବିତରଣ ସମାରୋହର ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାଜ୍ୟର ସଫଳ ଉଦ୍ୟୋଗପତିମାନଙ୍କୁ  ପୁରସ୍କାର ପ୍ରଦାନ ପରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଏକ ବଳିଷ୍ଠ ବ୍ରାଣ୍ଡ୍‌ର ପରିଚୟ ସୃଷ୍ଟି କରିବା ଯେ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ। ବ୍ରାଣ୍ଡ୍‌ ସମ୍ପର୍କରେ ଜନ ସଚେତନତା ଏବଂ ବିଶ୍ୱସ୍ତତା ବିନା ବ୍ୟବସାୟ ତିଷ୍ଠି ପାରିବ ନାହିଁ। ଗ୍ରାହକମାନଙ୍କୁ ଧରି ରଖିବା ଠାରୁ ବଳି ସନ୍ତୋଷଜନକ କଥା ଆଉ କିଛି ନାହିଁ ଏବଂ  ବ୍ରାଣ୍ଡ୍‌ ହିଁ ଏହି କାମ କରେ।

ଗୋଟାଏ ଦେଶର ବା ରାଜ୍ୟର ଭାବମୂର୍ତ୍ତି ଗଠନ ନିମନ୍ତେ ବଳିଷ୍ଠ ବ୍ରାଣ୍ଡ୍‌ମାନଙ୍କର ଅଶେଷ ଅବଦାନ ରହିଛି। ସେଗୁଡ଼ିକ ସାମଗ୍ରିକ ଅର୍ଥନୀତିର ମୂଲ୍ୟ ବଢ଼ାଇବା ସହ ନିଯୁକ୍ତି ସୃଷ୍ଟି କରନ୍ତି ଓ ସମୃଦ୍ଧି ଆଣନ୍ତି। ଶିଳ୍ପର ଓ ବ୍ୟବସାୟର ସଫଳ ବ୍ୟକ୍ତିତ୍ବ  ହେଉଛନ୍ତି ଆମର ବଡ଼ ସମ୍ପତ୍ତି ଏବଂ ବ୍ରାଣ୍ଡ୍‌ ଆମ୍ବାସାଡର୍‌।

ଆଜି ‘ବ୍ରାଣ୍ଡ୍‌ ଓଡ଼ିଶା’ ମଧ୍ୟ କ୍ରୀଡ଼ା, ଶିଳ୍ପ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଆହୁରି ଅନେକ କ୍ଷେତ୍ରରେ ଉନ୍ନତିମୂଳକ ପରିବର୍ତ୍ତନ ଦେଖୁଛି। ଏହି କାରଣରୁ ଆମେ ସର୍ବାଧିକ ବିନିଯୋଗ କରାଇବାରେ ସମର୍ଥ ହୋଇଛୁ। ୫-ଟି ଏବଂ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ଯୋଗୁଁ ନିବେଶକମାନେ ଆମକୁ ସକ୍ରିୟ ସରକାର ବୋଲି ବିବେଚନା କରୁଛନ୍ତି।

ମୋର ବିଶ୍ୱାସ ଏଠାରେ ସମବେତ ହୋଇଥିବା ଓଡ଼ିଶାର ପ୍ରମୁଖ ବ୍ରାଣ୍ଡ୍‌ମାନେ ଓଡ଼ିଶାର ଭାବମୂର୍ତ୍ତିକୁ ଆହୁରି ବଳିଷ୍ଠ କରିବାରେ ଅବଦାନ ଦେବେ। ଏହା ହାସଲ କରିବା ନିମନ୍ତେ ସେମାନଙ୍କୁ ଆନ୍ତର୍ଜାତିକ ସ୍ତରର ନୀତିନିୟମ ଆଧାରରେ ଚାଲିବାକୁ ପ୍ରସ୍ତୁତ ହେବାକୁ କହୁଛି।

ଗଣମାଧ୍ୟମ କ୍ଷେତ୍ରରେ ଓଡ଼ିଶାରେ ସମ୍ବାଦ ଗ୍ରୁପ୍‌ ନିଜେ ଏକ ବଳିଷ୍ଠ ବ୍ରାଣ୍ଡ୍‌ ହୋଇ ଓଡ଼ିଶାର ବ୍ରାଣ୍ଡ୍‌ଗୁଡ଼ିକର ପ୍ରସାର ପାଇଁ ପ୍ରୟାସ କରୁଥିବାରୁ ଧନ୍ୟବାଦ ଜଣାଉଛି । ଓଡ଼ିଶାର ଉଦ୍ୟୋଗୀମାନଙ୍କ ମଧ୍ୟରେ ବ୍ରାଣ୍ଡ୍‌ ନିର୍ମାଣ ସଂସ୍କୃତିରେ ଏହି ପ୍ରୟାସର ଅତି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅଦୃଶ୍ୟ ପ୍ରଭାବ ରହିଛି।

ଉତ୍ସବର ସମ୍ମାନିତ ଅତିଥି ଶିଳ୍ପମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଲେ ଯେ ୨୦ ବର୍ଷର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଓଡ଼ିଶାରେ ସୃଷ୍ଟି ହୋଇଥିବା ବିକାଶମୂଳକ ବାତାବରଣକୁ ଆହୁରି ଆଗକୁ ନେବାକୁ ପଡ଼ିବ। ଓଡ଼ିଶାର ହୃତ୍‌ଗୌରବ ଫେରାଇ ଆଣିବାକୁ ପଡ଼ିବ। ହଜାର ହଜାର ବର୍ଷ ପୂର୍ବେ ଓଡ଼ିଶାର ଲୋକେ ବିଦେଶରେ ବାଣିଜ୍ୟ କରି ସୁନାମ ଅର୍ଜନ କରିଥିଲେ। ସେଥିପାଇଁ କେତେକ ଦେଶରେ ଆଦିମ ସମ୍ପ୍ରଦାୟଙ୍କୁ ‘କ୍ଲିଙ୍ଗି’ କୁହାଯାଉଛି, କାରଣ ସେମାନେ କଳିଙ୍ଗରୁ ଆସିଥିଲେ। ଓଡ଼ିଶାର ଏହି ଗୌରବ ଫେରାଇ ଆଣିବାକୁ ଆଜି ପ୍ରୟାସ ଆରମ୍ଭ ହୋଇଛି।

ଦ୍ୱିତୀୟ ଅଧିବେଶନ ପ୍ରାରମ୍ଭରେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ ଓଡ଼ିଶାକୁ ଗୌରବାନ୍ଵିତ କରୁଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ମାନିତ କରିବା, ସ୍ୱୀକୃତି ଦେବାରେ ସମ୍ବାଦ କର୍ପୋରେଟ୍‌ ଏକ୍ସିଲେନ୍‌ସି ଆଓ୍ଵାର୍ଡ ହେଉଛି ଏକମାତ୍ର ସମ୍ମାନ। ଏଥିପାଇଁ କେବଳ ଭୁବନେଶ୍ୱର ନୁହେଁ ସମ୍ବଲପୁର, ବାଲେଶ୍ୱର ଏବଂ ଢେଙ୍କାନାଳ ଭଳି ଜିଲ୍ଲାରୁ ବି ଏଣ୍ଟ୍ରି ମିଳିଥିଲା। ଏହି ବ୍ରାଣ୍ଡ୍‌ର ଉଦ୍ୟୋଗୀମାନେ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ କାମ କରୁଛନ୍ତି।

ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ କି, ସ୍ୱୟଂ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଏକ ବ୍ରାଣ୍ଡ୍‌। କେବଳ ରାଜ୍ୟ ନୁହେଁ ସମଗ୍ର ଦେଶ ପାଇଁ ସେ ଆଇକନ୍‌ ସାଜିଛନ୍ତି ଏବଂ ଓଡ଼ିଶାର ସବୁଠାରୁ ବଡ଼  ବ୍ରାଣ୍ଡ୍‌ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଏ ଦୁଇ ବ୍ରାଣ୍ଡ୍‌ଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି ସେ ମତପ୍ରକାଶ କରିଛନ୍ତି।

ପୁରସ୍କୃତ ହୋଇଥିବା ଉଦ୍ୟୋଗୀମାନଙ୍କର ସଫଳତା ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ମଧ୍ୟ ଦ୍ୱିତୀୟ ଅଧିବେଶନରେ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର