ଜେଏନୟୁ ଛାତ୍ର ଓ ଅଧ୍ୟାପକଙ୍କୁ ଆକ୍ରମଣର ନିନ୍ଦା : କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡିର କ୍ୟାଣ୍ଡେଲ ଯାତ୍ରା

ଫୁଲବାଣୀ : ଗତ ୫ ତାରିଖରେ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପଶି କିଛି ମୁଖାଧାରୀ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପ୍ରତିବାଦ କରିବାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ସମଗ୍ର ଭାରତରେ ଛାତ୍ର ସଂଗଠନ ଗୁଡିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟରେ ପଶି ଭଙ୍ଗାରୁଜା କରିବା ଏବଂ ଛାତ୍ର ଓ ଅଧ୍ୟାପକଙ୍କୁ ମାଡ ମାରିବା ଘଟଣାକୁ କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଏ ନେଇ ଆଜି ସଂଧ୍ୟାରେ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଏକ କ୍ୟାଣ୍ଡେଲ ଯାତ୍ରା ଅନୁଷ୍ଠିତ ହୋଇଛି। ବିଜେଡି ଛାତ୍ର ନେତା ସଂଜୀତ କୁମାର ମଲ୍ଲିକ, ବିନୋଦ ଦିଗାଲ, ସୁନିଲ ସେଠୀ, ଅଂଶୁମାନ ପାତ୍ର ଓ ମାମୁନି ବିଶ୍ୱାଳଙ୍କ ନେତୃତ୍ବରେ ମାଦିକୁନ୍ଦା ଛକରୁ କ୍ୟାଣ୍ଡେଲ ଯାତ୍ରା ବାହାରି ବିଜୁ ପଟ୍ଟନାୟକ ଛକରେ ପହଞ୍ଚିଥିଲା। ସେଠାରେ ଛାତ୍ରନେତାମାନେ ଜେଏନୟୁରେ ହୋଇଥିବା ହିଂସାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ସମର୍ଥିତ ବହୁ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର