ଛାତ୍ରୀ କସ୍ତୁରୀ ମୃତ୍ୟୁ ଘଟଣା : କ୍ରୀଡ଼ା ପ୍ରଶିକ୍ଷକ, ପିଅନ ନିଲମ୍ବିତ

ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍‌

କେନ୍ଦ୍ରାପଡ଼ା : ଦଶମଶ୍ରେଣୀ ଛାତ୍ରୀ କସ୍ତୁରୀ ସାମନ୍ତରାୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପ୍ରଶାସନ ଆଜି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଘଟଣାର ୨୨ଦିନ ପରେ ଜିଲ୍ଲା କ୍ରୀଡ଼ା ପ୍ରଶିକ୍ଷକ ଓ ଜଣେ ପିଅନଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହିତ ରାଜନଗର ଆର୍‌ଏନ୍‌ ହାଇସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଆହୁରି କେତେଜଣଙ୍କ ସମ୍ପୃକ୍ତି ରହିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏମାନେ ସମସ୍ତେ ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ମିଳିମିଶି ଚପାଇ ଦେଇଥିଲେ। ମୃତ ଛାତ୍ରୀ କସ୍ତୁରୀଙ୍କ ପରିବାରକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥିଲେ। ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି କରାଯାଇଛି।

ଗତ ମାସ ୨୨ ତାରିଖରେ ଏହି ଘଟଣା ଘଟିଥିଲା। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଅଢଙ୍ଗ ଗ୍ରାମର କସ୍ତୁରୀ ରାଜକନିକାଠାରେ ଆୟୋଜିତ କ୍ରୀଡ଼ା ପ୍ରଶିକ୍ଷଣ ଶିବିରରେ ଯୋଗଦେବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ବିଳମ୍ବିତ ରାତିରେ ଛାତ୍ରୀମାନେ ରହୁଥିବା କୋଠରୀରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ (ଡିଇଓ)ର ପିଅନ ଦେବବ୍ରତ ପତି ପଶିଯାଇଥିଲେ। ମାତ୍ର, ସେଠାରେ ଦେବବ୍ରତ ଧରାପଡ଼ିଯାଇଥିଲେ। ଏହି ଘଟଣା ସହିତ କସ୍ତୁରୀଙ୍କର କ’ଣ ସମ୍ପର୍କ ରହିଛି ତାହା ତଦନ୍ତରୁ ଜଣାପଡ଼ିନଥିଲେ ସୁଦ୍ଧା ତାଙ୍କ ପ୍ରତି ଅସଦାଚରଣ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ଯେଉଁଥିପାଇଁ କସ୍ତୁରୀଙ୍କୁ ଘରକୁ ପଠାଇ ଦିଆଯାଇଥିବା ସହିତ ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର, ଘରକୁ ଫେରିବାର ପରଦିନ କସ୍ତୁରୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଏହିଭଳି ଏକ ସ୍ପର୍ଶକାତର ଘଟଣାକୁ ପ୍ରଥମରୁ ଚପାଇଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିଲା। କେନ୍ଦ୍ରାପଡ଼ାଠାରେ ମୃତଦେହ ବ୍ୟବଚ୍ଛେଦକୁ ଅଧା ରଖି ହଠାତ୍‌ କଟକ ଏସ୍‌ସିବି ମେଡ଼ିକାଲ ଅଣାଯାଇଥିଲା। ଏବଂ, ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଘଟଣାର ତଥ୍ୟ ପ୍ରମାଣ ମିଳିବା ସତ୍ତ୍ୱେ ପୁଲିସ୍‌ କାହା ଏଫ୍‌ଆଇଆର୍‌କୁ ଅପେକ୍ଷା କରି ନିଜ ଆଡ଼ୁ ମାମଲା ରୁଜୁ କରି ନଥିଲା । ଶିକ୍ଷା ବିଭାଗ ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇ ନଥିଲା। ସ୍କୁଲ ପରିଚାଳନା କମିଟି ସଭାପତି ଏତଲା ଦେବା ପରେ ଯାଇ ପୁଲିସ୍‌ ମାମଲା ରୁଜୁ କରିଥିଲା।

ମୃତ ଛାତ୍ରୀ କସ୍ତୁରୀଙ୍କ ବାପା ବିଭୂତି ସାମନ୍ତରାୟ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଅଢ଼ଙ୍ଗା ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଙ୍କୁ ୮ ହଜାର ଟଙ୍କା ଓ ଲକ୍ଷେ ଟଙ୍କାର ଜୀବନ ବୀମା କରାଇବା ଲୋଭ ଦେଖାଇଥିଲେ ଏବଂ ପାଟି ଚୁପ୍‌ କରିବାକୁ ଚାପ ପ୍ରୟୋଗ କରିଥଲେ। ତେବେ, ଏହି ଘଟଣାର ପ୍ରତିବାଦରେ ସାଧାରଣ ଲୋକ ତଥା ବିଭିନ୍ନ ଅନୁଷ୍ଠାନ ସ୍ୱର ଉଠାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଆଜି ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ ପିଅନ ଶ୍ରୀ ପତି, ଜିଲ୍ଲା କ୍ରୀଡ଼ା ପ୍ରଶିକ୍ଷକ ଅନନ୍ତ ଚରଣ ନାୟକଙ୍କୁ ନିଲମ୍ବିତ କରିଛନ୍ତି। ସେହିଭଳି, ରାଜକନିକା ଆର୍‌ଏନ୍‌ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଲତିକା ମଂଜରୀ ନାୟକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ଅନ୍ୟପକ୍ଷରେ, ନିଜ ଦୋଷ ଛଡ଼ାଇବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କର ଏହା ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ବୋଲି କସ୍ତୁରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିଥିବା ଜିଲ୍ଲା ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି । ସମିତି କହିଛି ଯେ, ଦୋଷୀଙ୍କୁ ନିଲମ୍ବନ ନୁହଁ ଗିରଫ କରାଯାଉ। କେବଳ ରାଜକନିକା ସ୍କୁଲରେ ଉପସ୍ଥିତ କ୍ରୀଡ଼ା ଶିକ୍ଷା ବିଭାଗ ଅଧିକାରୀ ନୁହନ୍ତି ବରଂ ସମସ୍ତ ସହଯୋଗୀ କର୍ମଚାରୀ, ପ୍ରଧାନଶିକ୍ଷୟିତ୍ରୀ, ପୁଲିସ୍‌ ଅଧିକାରୀ, ଶବ ବ୍ୟଚ୍ଛେଦ କରିଥିବା ଡାକ୍ତର ଓ ନିଜେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସମିତି ଦାବି କରିଛି।

ସମ୍ବନ୍ଧିତ ଖବର