ପରୀକ୍ଷା କେନ୍ଦ୍ରକୁ ଯିବା ବାଟରେ ସାଇକେଲରୁ ପଡ଼ି ପ୍ରାଣ ହରାଇଲେ ମାଟ୍ରିକ୍ ପରୀକ୍ଷାର୍ଥୀ

ଝାରସୁଗୁଡ଼ା: ଜଣେ ଦଶମ ଶ୍ରେଣୀର ଛାତ୍ର ମାଟ୍ରିକ୍ ପରୀକ୍ଷା ଦେବା ଲାଗି ନିଜ ଗାଁରୁ ସାଇକେଲରେ ବାହାରିଥିଲେ। ହେଲେ ପରୀକ୍ଷା ଦେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ।

ପ୍ରାପ୍ତ ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କିରମିରା ବ୍ଲକର ଭଂରା ଗ୍ରାମର ମାଟ୍ରିକ୍ ପରୀକ୍ଷାର୍ଥୀ ଈଶ୍ଵର ରୋହିଦାସ ଆଜି ବାଗଡ଼ିହି ହାଇସ୍କୁଲକୁ ସାଇକେଲରେ ପରୀକ୍ଷା ଦେଇଯାଉଥିବା ବେଳେ ବାଟରେ ସାଇକେଲରୁ ଖସି ପଡ଼ି ମୂର୍ଚ୍ଛିତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଦେଖି ଆମ୍ବୁଲାନ୍ସକୁ ଡକେଇଥିଲେ।

ତା’ପରେ ଆମ୍ବୁଲାନ୍ସରେ ଈଶ୍ଵରଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ହିଁ ତାଙ୍କ ପୁଅର ଜୀବନ ଚାଲିଗଲା ବୋଲି ଈଶ୍ଵରଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଘଟଣା ଏବେ ଝାରସୁଗୁଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ଚଳିତ ମାଟ୍ରିକ ପରୀକ୍ଷା ସମୟରେ ଘଟିଥିବା ଝାରସୁଗୁଡ଼ା ଜିଲ୍ଲାର ପ୍ରଥମ ଅଭାବନୀୟ ଘଟଣା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର