ସମୁଦ୍ରରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ପାରାଦୀପ : ପାରାଦୀପ ନେହରୁ ବଙ୍ଗଳା ନିକଟ ସମୁଦ୍ରରେ ବୁଡ଼ିଯାଇ ଜଣେ ଅଣଓଡ଼ିଆ ଆଇଟି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତ ଛାତ୍ରଜଣଙ୍କ ହେଲେ ଭୋପାଳର ହିମାଂଶୁ ରାଠୋର ଏବଂ ଗୁରୁତର ହୋଇଥିବା ଛାତ୍ରଜଣକ ପଶ୍ଚିମବଙ୍ଗ ଦୁର୍ଗାପୁରର ଶ୍ରୀନାଥ ଶଶାଙ୍କ ଘୋଷ। ଛାତ୍ର ଦୁଇଜଣ ଭୁବନେଶ୍ୱର ଗୋଠପାଟଣାସ୍ଥିତ ଟ୍ରିପଲ୍‌ ଆଇଟିର ଛାତ୍ର ବୋଲି ଜଣାପଡ଼ିଛି।

ମିଳିଥିବା ଖବର ଅନୁସାରେ, ଆଜି ଭୁବନେଶ୍ୱର ଏହି ଶିକ୍ଷାନୁଷ୍ଠାନର ୪୦ରୁ ଅଧିକ ଛାତ୍ର ପାରାଦୀପର ନେହରୁ ବଙ୍ଗଳାକୁ ଭୋଜି କରିବାକୁ ଆସିଥିଲେ। ଗୋଟିଏ ପଟେ ରୋଷେଇ ଚାଲିଥବା ବେଳେ ଛାତ୍ର ଶ୍ରୀନାଥ ଶଶାଙ୍କ ଘୋଷ ଏବଂ ହିମାଂଶୁ ରାଠୋର ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଉଭୟ ମହାନଦୀ ମୁହାଣରେ ବୁଡ଼ି ଯାଇଥିଲେ। ହିମାଂଶୁ ବୁଡ଼ି ମୃତ୍ୟୁବରଣ କରିଥିବା ବେଳେ ଶ୍ରୀନାଥ ଶଶାଙ୍କଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ, ନେହରୁ ବଙ୍ଗଳା ନିକଟରେ ବାରମ୍ବାର ଅଘଟଣ ଘଟୁଥିଲେ ବି ପ୍ରଶାସନ କୌଣସି ତତ୍ପରତା ଦେଖାଉନାହିଁ।  ଏଠାରେ ସମୁଦ୍ର ପାଣିର ଗଭୀରତା, ଅନ୍ତଃସ୍ରୋତ ଓ ବିପଦ ସମ୍ପର୍କରେ ପର୍ଯ୍ୟଟନ ବିଭାଗ କିମ୍ବା ପ୍ରଶାସନ ବୋର୍ଡ ଲଗାଇ ସଚେତନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର