ଛାତ୍ରୀଙ୍କ ପ୍ରସବ ଘଟଣା : କନ୍ଧମାଳରେ ତାତି ବଢ଼ିଲା

ବଞ୍ଚିଲାନି ନବଜାତକ, ପୀଡ଼ିତାଙ୍କୁ ଭେଟିଲେ କଂଗ୍ରେସ, ବିଜେପି ପ୍ରତିନିଧି, ୧୭ରେ ବନ୍ଦ ଡାକରା, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, ୧୭ ଶିକ୍ଷକ ବଦଳି

ଫୁଲବାଣୀ/ଦାରିଙ୍ଗବାଡ଼ି : କନ୍ଧମାଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ ଆଜି ବି ତାତି ବଳବତ୍ତର ରହିଛି। ଏହି ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ ସହିତ ୧୪ ଶିକ୍ଷକଙ୍କୁ ବଦଳି କରାଯାଇଥିଲେ ବି ଏବଂ ପୋକ୍‌ସୋ ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ମଧ୍ୟ ତାତି ଥମିନାହିଁ। ବିଭିନ୍ନ ରାଜନୈତିକ ଦଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ହସ୍ପିଟାଲ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି। ଜିଲ୍ଲାପାଳ, ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖ ଦିନ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଅପରପକ୍ଷେ, ବ୍ରହ୍ମପୁର ମେଡ଼ିକାଲରେ ନବଜାତକର ମୃତ୍ୟୁ ହୋଇଯାଇଛି।

ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସରେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ଶିଶୁକନ୍ୟା ଜନ୍ମ ଘଟଣାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ବି ଆଜି କନ୍ଧମାଳ ପଡ଼ିଛି, ଉଠିଛି। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ୧୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି।

ସେହିପରି ପୁଲିସ ପକ୍ଷରୁ ମାମଲାରେ ଅଭିଯୁକ୍ତ ଶ୍ରବଶ କୁମାର ପ୍ରଧାନଙ୍କୁ କେଶ ନଂ ୩/୧୯ ଆଇପିସି ଧାରା ୩୭୬(୩) ଓ ପକ୍‌ସୋ ଆକ୍ଟ ଅନୁସାରେ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଅନ୍ୟପଟେ, ଘଟଣାର ପ୍ରତିବାଦରେ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ରମେଶ ଇସ୍ତଫା ଦାବି କରାଯାଇଛି। ଏଥିସହିତ, ପୀଡ଼ିତା ଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ଓ ୨୫ ଲକ୍ଷ ଟଙ୍କା ପ୍ରଦାନ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବରଖାସ୍ତ କରିବା ସମେତ ୬ ଦଫା ଦାବିରେ ଆସନ୍ତା ୧୭ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ସେହିଭଳି, କଂଗ୍ରେସ, ବିଜେପି ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମଧ୍ୟ ମନ୍ତ୍ରୀ ଶ୍ରୀ ମାଝୀଙ୍କ ଇସ୍ତଫା ଦାବି କରାଯାଇଛି। କଂଗ୍ରେସ ଓ ବିଜେପିର ପ୍ରତିନିଧି ଦଳ ଏମ୍‌କେସିଜି ମେଡିକାଲରେ ପୀଡ଼ିତାଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ପୀଡ଼ିତାଙ୍କୁ ସରକାର ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦାବି କରିଛନ୍ତି। ଏଥିସହିତ, କଂଗ୍ରେସ ପ୍ରତିନିଧି ଦଳ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଆଶିଷ ସିଂଙ୍କୁ ସାକ୍ଷାତ କରି ଘଟଣାର ନିରପକ୍ଷେ ତଦନ୍ତ ପାଇଁ ଅନୁରୋଧ କରିଛି।

ଅପରାହ୍ନରେ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ସାକ୍ଷାତ କରିଛନ୍ତି। ଏମ୍‌କେସିଜି ମେଡିକାଲ ପ୍ରସୂତି ବିଭାଗରେ ପହଞ୍ଚି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହିତ ଆବଶ୍ୟକ ଚିକିତ୍ସା ସେବା ପ୍ରଦାନ ଦିଗରେ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି। ସେହିଭଳି ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ  ତଥା ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ କନ୍ଧମାଳ ଏସ୍‌ପି ପ୍ରତୀକ ସିଂକୁ ଭେଟି ଜିଲ୍ଲାର ସମସ୍ତ ଆଶ୍ରମ ବିଦ୍ୟାଳୟରେ ବିଭିନ୍ନ ସମୟରେ ଅଭାବନୀୟ ଘଟଣା ଘଟୁଥିବାବେଳେ ଶାସକ ଓ ପ୍ରଶାସକ ଉଭୟ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଥିଲେ। ପିସିସି ରାଜ୍ୟ କୃଷକ ସେଲ୍ ସଭାପତି ନେତା ଅମୀୟ ପଟ୍ଟନାୟକ ଓ ଘୁ.ଉଦୟଗିରି ବିଧାୟକ ଯାକବ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଘଟଣା ଘଟିଥିବା ବିଦ୍ୟାଳୟ ଓ ଥାନାକୁ ଯାଇ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ତେବେ, ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ଆଜି ହସ୍ପିଟାଲରେ ନବଜାତକର ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର