ପଦଯାତ୍ରାରେ ସାମିଲ ହେଲେ ଛାତ୍ରଛାତ୍ରୀ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ଅମର୍‌ ରହେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅମର ରହେ। ଭାରତ ମାତା କି ଜୟ। ବନ୍ଦେ ମାତରମ୍‌..। ଏଭଳି ସ୍ଳୋଗାନରେ ସମ୍ବଲପୁରର ରାସ୍ତାଘାଟ ପ୍ରକମ୍ପିତ ହୋଇଥିଲା। ଏକ ବିଶାଳ ପଦଯାତ୍ରାରେ ଉତ୍ସାହୀ ଛାତ୍ରଛାତ୍ରୀ ଓ ଦେଶପ୍ରେମୀ ନାଗରିକ ସାମିଲ ହୋଇ ବୀର ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ମହାନ୍‌ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ପଦଯାତ୍ରା। ଏଥିରେ ସହରର ବିଭିନ୍ନ ସ୍କୁଲ୍‌ କଲେଜ୍‌ର ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ମଙ୍ଗଳବାର ସକାଳୁ ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମପୀଠ ଖିଣ୍ଡାରୁ ୮୦ ଜଣ ଯୁବକ ମଶାଲ ନେଇ ଏକ ମୋଟର ସାଇକଲ୍‌ ରାଲିରେ କମିସନର କଲୋନି ଗାନ୍ଧୀ ପାର୍କରେ ପହଞ୍ଚିଥିଲେ। ସେଠାରେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଓସିଏର ପୂର୍ବତନ ଉପସଭାପତି ସାବିର ହୁସେନ ଅତିଥିଭାବେ ଯୋଗ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସକାଳ ସାଢ଼େ ୮ଟାରେ ସାଂସଦ ଶ୍ରୀ ପ୍ରଧାନ, ବିଧାୟିକା ଡା. ପାଣିଗ୍ରାହୀ ଏବଂ ସାବିର ହୁସେନ ପତାକା ଦେଖାଇ ଗାନ୍ଧୀ ପାର୍କରୁ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଜେଡି ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ଗୋବିନ୍ଦ ଅଗ୍ରଓ୍ଵାଲ, ଯୁବ ବିଜେଡି ନେତା ସଂଜୟ ବାବୁ ସଂଗ୍ରାମୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସ୍ଳୋଗାନ ଦେଇ, ପ୍ଲାକାର୍ଡ ଓ ବ୍ୟାନର୍‌ ଧରି ଶୋଭାଯାତ୍ରାରେ ବାହାରି ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଆମେ ଚାହିଁଲେ ସଡ଼କ ଦୁର୍ଘଟଣା ରୋକି ପାରିବା’ ଶୀର୍ଷକ ପ୍ଲାକାର୍ଡ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ ନାଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ଲାକାର୍ଡ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର