ହୀରାକୁଦ ଡ୍ୟାମରେ ଭିସୁଟ୍‍ ଛାତ୍ର ନିଖୋଜ

ବୁର୍ଲା : ହୀରାକୁଦ ଡ୍ୟାମରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଆର୍କିଟେକ୍‍ ସ୍ନାତକ ୩ୟ ବର୍ଷର ଜେ. ସୂର୍ୟ୍ୟା ଗେପାଲ (୧୮) ନାମକ ଛାତ୍ର ନିଖୋଜ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି ପରେ ମଧ୍ୟ ପତ୍ତା ମିଳିନାହିଁ। ଭୋଜି କରିବାକୁ ଯାଇ ସେଠାରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି। ସେ ପାଣିରେ ବୁଡ଼ି ଯାଇଥିବା ତାଙ୍କ ସହ ଉପସ୍ଥିତ ଥିବା ସହପାଠୀମାନେ ପ୍ରକାଶ କରିଛନ୍ତି। ନିଖୋଜ ଛାତ୍ର ସୂର୍ୟ୍ୟା ଗୋପାଲଙ୍କ ଘର ବ୍ରହ୍ମପୁର ଖସ୍ପା ସାହି ଏବଂ ତାଙ୍କ ପିତାଙ୍କ ନାମ ଜେ ମଲ୍ଲିକାର୍ଜୁନ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଶନିବାର (୧୨/୫) ଭସୁଟ୍‍ରେ ପରୀକ୍ଷା ଶେଷ ହୋଇଥିଲା। ଆଜିଠାରୁ ଛୁଟି ଘୋଷଣା କରାଯାଇଥିଲା। ରବିବାର ସକାଳ ପ୍ରାୟ ୮ଟାରେ ଭିସୁଟ୍‍ ବି-ଟେକ୍‍ ସିଭିଲ୍‍ ଇଂଜିନିୟରିଂ ତୃତୀୟ ବର୍ଷର ୪ ଜଣ ଛାତ୍ର ସୌରଭ ସ୍ୱାଇଁ, ସ୍ୱାଗତ ନାୟକ, ରାଜେଶ ନାଏକ, ବିଜୟ ସାହୁଙ୍କ ସମେତ ବି-ଅର୍କର ଛାତ୍ର ଜେ ସୂର୍ୟାଗୋପାଲ ହୀରାକୁଦ ବନ୍ଧସ୍ଥିତ ଝାଙ୍କରାଣୀ ନିକଟକୁ ଭୋଜି କରିବାକୁ ଯାଇଥିଲେ। ତେବେ ରନ୍ଧା ଖାଦ୍ୟ ପ୍ରସ୍ତୁତି ପରେ ପ୍ରାୟ ୧୨ଟାରୁ ଗାଧେଇବାକୁ ଆରମ୍ଭ କରିଥିଲେ। ମାତ୍ର ଅସାବଧାନତା ଯୋଗୁଁ ସେ ଅନ୍ୟ ଚାରି ଜଣଙ୍କ ଠାରୁ ଅଧିକ ଭିତରକୁ ଚାଲିଯାଇଥିବା ଛାତ୍ରମାନଙ୍କ ପକ୍ଷରୁ କୁହାଯାଉଛି। ଫଳରେ ସେମାନଙ୍କ ସମ୍ମୁଖରେ ଦେଖୁ ଦେଖୁ ସେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପ୍ରାୟ ଦିନ ଦ୍ଵିପ୍ରହର ଦୁଇଟାରେ ଏ ସଂପର୍କରେ ଭିସୁଟ୍‍ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବୁର୍ଲା ଅଗ୍ନିଶମ ବିଭାଗ ଏବଂ ବୁର୍ଲା ଥାନାକୁ ଖବର ଦିଆଯାଇଥିଲା।

ବୁର୍ଲା ଥାନାଧିକାରୀ ମାନସ ରଂଜନ ପ୍ରଧାନଙ୍କ ତତ୍ଵବଧାନରେ ବୁର୍ଲା ଓ ସମ୍ବଲପୁରର ଅଗ୍ନିଶମ ବିଭାଗ ଦୁଇ ୟୁନିଟ୍‍ କର୍ମଚାରୀ ପକ୍ଷରୁ ପ୍ରାୟ ସଂଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିବା ବେଳେ ନିଖୋଜ ଛାତ୍ରଙ୍କ ଶରୀର ମିଳି ନଥିଲା। ଅନ୍ଧାର ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି। ସୋମବାର ସକାଳୁ ପୁନର୍ବାର ଖୋଖାଖୋଜି କରାଯିବ ବୋଲି ପୁଲିସ୍‍ ସୂତ୍ରରୁ ପ୍ରକାଶ। ଗତ ବର୍ଷ ଭିସୁଟ୍‍ର ତିନି ଜଣ ଛାତ୍ରଙ୍କ ଏଭଳି ପାଣିରେ ବୁଡ଼ି ଅପମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର