ମାଟ୍ରିକ ପରୀକ୍ଷାରୁ ବଞ୍ଚିତ : ଧାରଣା ଦେଲେ ଛାତ୍ରୀ

ଖଲ୍ଲିକୋଟ : ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି କାରଣରୁ ଜଣେ ଛାତ୍ରୀ ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ନ୍ୟାୟ ଭିକ୍ଷା କରି ସେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ହେଲେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କଞ୍ଚଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଜ୍ୟୋତି ନାହକ। ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ସେ ଫର୍ମ ପୂରଣ କରିଥିଲେ। ବିଦ୍ୟାଳୟର ୪୪ଜଣ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ଆସିଥିବାବେଳେ ତାଙ୍କର ଆସିନଥିଲେ। ସେ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର, କିଛି ସୁଫଳ ନ ମିଳିବାରୁ ସେ ଆଜି ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା କହିଛନ୍ତି ଯେ, ଅଭିଯୋଗ ପାଇଥିଲେ ମଧ୍ୟ ରାତି ପାହିଲେ ପରୀକ୍ଷା ଥିବାରୁ କିଛି ସାହାଯ୍ୟ କରି ହୋଇନଥିଲା। ତେବେ, ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଥାନାରେ ଏତଲା

ଫୁଲନଖରା : ମାଟ୍ରିକ ପରୀକ୍ଷା ଦେଇନପାରିବାରୁ ଜଣେ ଛାତ୍ର ଆଜି ଥାନାରେ ଏତଲା ଦେଇଛି। ସଦର ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ରାଜେଶକୁମାର ଜେନା ସଇନ୍ଧା ହାଇସ୍କୁଲରେ ପାଠ ପଢ଼ନ୍ତି। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ମାତ୍ର ସମସ୍ତଙ୍କ ଆଡ଼ମିଟ କାର୍ଡ଼ ଆସିଥିଲାବେଳେ ରାଜେଶଙ୍କ କାର୍ଡ଼ ସ୍କୁଲରେ ପହଞ୍ଚି ନଥିଲା। ଏ ନେଇ ଗ୍ରାମରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହେବା ସହିତ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀ ଘେରାଉ କରିଥିଲେ। ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ରାଜେଶ ଆଜି ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେବାରୁ ଏଥିପାଇଁ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର