ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର‌୍‌ଙ୍କୁ ମିଳିବ ବୀମା

୬ ଜିଲ୍ଲାରେ ନିୟୋଜନ ହେବେ ଅଧିକ ୧୩୫୦ ଜଣ

କଟକ : ଗୁରୁତ୍ବପୂର୍ଣ୍ଣ ସହରର ଟ୍ରାଫିକ୍‌ ପୋଷ୍ଟରେ ନିୟୋଜିତ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର‌୍‌ଙ୍କୁ ଏଣିକି ମିଳିବ ମାଗଣା ବୀମା ସୁବିଧା। ସରକାର ସେମାନଙ୍କୁ ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ରେ ଅନ୍ତର୍ଭୁକ୍ତ କରିଛନ୍ତି। ଟ୍ରାଫିକ୍‌ ପୋଷ୍ଟରେ କାର୍ଯ୍ୟ ସମୟରେ କୌଣସି ଅଘଟଣ ଘଟିଲେ ସେମାନଙ୍କ ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ଉକ୍ତ ଯୋଜନାରୁ ଭରଣା କରାଯିବ। ଡ୍ୟୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ରଙ୍ଗର ୟୁନିଫର୍ମ ମଧ୍ୟ ଯୋଗାଇ ଦିଆଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଗୃହ ବିଭାଗ ପକ୍ଷରୁ ପ୍ରଥମ ଥର ୨୦୧୭ ଜାନୁଆରିରେ ‘ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର ସ୍କଲାର‌୍‌ସିପ ସ୍କିମ୍‌’ରେ ଭୁବନେଶ୍ବର ଓ କଟକ କମିସନରେଟ୍‌ରେ ଏହି ସେବା ଆରମ୍ଭ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସମ୍ବଲପୁର, ବାଲେଶ୍ବର, ରାଉରକେଲା ଏବ˚ ବ୍ରହ୍ମପୁରରେ ଏହା କାର୍ଯ୍ୟ କରିଥିଲା। ଦୁଇଟି ପର୍ଯ୍ୟାୟରେ ଯୋଜନା ସଫଳ ହେବା ପରେ ଏବେ ପୁଣି ୬ଟି ସହରରେ ଲାଗୁ କରିବାକୁ ଗୃହ ବିଭାଗ ନିଷ୍ପତ୍ତି ନେଇଛି। ଢେଙ୍କାନାଳ, ଅନୁଗୁଳ, କୋରାପୁଟ, କେନ୍ଦୁଝର, ଖୋର୍ଧା ଏବ˚ ପୁରୀ ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ ୬୦ ଜଣ ଲେଖାଏ ଛାତ୍ରାଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ। ଅନ୍ୟପଟେ କଟକ କମିସନରେଟ୍‌ ପୁଲିସରେ ବର୍ତ୍ତମାନ ୧୦୦ ଜଣ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ। ସେହିପରି ଭୁବନେଶ୍ବରେ ୨୦୦ରୁ ୪୦୦, ରାଉରକେଲାରେ ୧୦୦ରୁ ୨୦୦, ବାଲେଶ୍ବରରେ ୭୫ରୁ ୧୫୦, ବ୍ରହ୍ମପୁରରେ ୧୦୦ରୁ ୨୦୦ ଏବ˚ ସମ୍ବଲପୁରରେ ୧୦୦ରୁ ୨୦୦କୁ ସଂଖ୍ୟା ବୃଦ୍ଧି କରାଯିବ। ମୋଟ ୬ଟି ପୁଲିସ ଜିଲ୍ଲାରେ ୧୩୫୦ ଜଣଙ୍କୁ ନିଯୁକ୍ତି କରାଯିବା। ଉପୋରକ୍ତ ଜିଲ୍ଲା ବାଦ୍‌ ଅନ୍ୟ ଜିଲ୍ଲାରେ ମଧ୍ୟ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର‌୍‌ ନିଯୁକ୍ତ କରିବା ପାଇଁ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ୫ ଦିନିଆ ତାଲିମ ପ୍ରଦାନ କରାଯିବ। ଏକ ମାସ ଫିଲ୍ଡରେ କାମ କରିବା ପରେ ଦୁଇ ଦିନିଆ ରିଫ୍ରେସର‌୍‌ ତାଲିମ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପ୍ରଦାନ କରାଯିବ। ସେମାନଙ୍କୁ ପରିଚୟପତ୍ର ସହିତ ଚିହ୍ନଟ ପାଇଁ ନିର୍ଦ୍ଦିଷ୍ଟ ନମ୍ବର ମିଳିବ। ୬ ମାସର କାର୍ଯ୍ୟକାଳ ଶେଷ ହେବା ପରେ ସେମାନଙ୍କୁ ଏକ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। କାର୍ଯ୍ୟକ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଛାତ୍ରାଛାତ୍ରୀଙ୍କୁ ପୁଲିସ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ କରାଯିବ। ପରିବହନ କମିସନରଙ୍କ ପକ୍ଷରୁ ମଧ୍ୟ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟରମାନଙ୍କୁ ‘ଟ୍ରାଫିକ୍‌ ମିତ୍ର’ ନାମରେ ଏକ ପୁରସ୍କାର ପ୍ରଦାନ କରାଯିବ। ଅନ୍ୟପଟେ ସେମାନଙ୍କୁ ଚାଳକମାନେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ମର୍ଯ୍ୟାଦା ଯେପରି କ୍ଷୁର୍ଣ୍ଣ ନହୁଏ, ଏଥିପ୍ରତି କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଗୃହ ବିଭାଗର ପୂର୍ବ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୈନିକ ୧୦୦ ଟଙ୍କା ହିସାବରେ ମାସିକ ୩ ହଜାର ଟଙ୍କା ଷ୍ଟାଇପେଣ୍ତ ତାଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ସକାଳ ୮ଟାରୁ ଦିନ ୧୨ଟା ଏବ˚ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ଘର କିମ୍ବା କଲେଜ ନିକଟସ୍ଥ ଟ୍ରାଫିକ୍‌ ପୋଷ୍ଟରେ କାର୍ଯ୍ୟ କରିପାରିବେ। ପ୍ରତି ମାସରେ ସର୍ବନିମ୍ନ ୧୫ ଦିନ କାର୍ଯ୍ୟ କରିବାକୁ ଗୃହ ବିଭାଗ ପକ୍ଷରୁ ନିୟମ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର