ରାତି ପାହିଲେ ମାଟ୍ରିକ ପରୀକ୍ଷା : ଛାତ୍ରଙ୍କୁ ମିଳିଲାନି ଆଡମିଟ୍ କାର୍ଡ, ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପରୀକ୍ଷାରୁ ବଞ୍ଚିତ ହେବେ ମେଧାବୀ ଛାତ୍ର

କେନ୍ଦ୍ରାପଡା: ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ପାଇଁ ବିଦ୍ୟାଳୟମାନଙ୍କରେ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଲାଣି । ଏପରିକି ଛାତ୍ରଛାତ୍ରୀଙ୍କୁ ଆର୍ଡମିଟକାର୍ଡ ବି ମିଳିସାରିଛି । ହେଲେ କେନ୍ଦ୍ରାପଡାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ଜଣେ ମେଧାବୀ ଛାତ୍ର ଏଯାଏଁ ଆର୍ଡମିଟକାର୍ଡ ପାଇନାହାନ୍ତି । ତେଣୁ ପରୀକ୍ଷା ଦେବାରୁ ସେ ବଞ୍ଚିତ ହେବେ ବୋଲି ଆଶଙ୍କା କରିଛନ୍ତି ଏହି ମେଧାବୀ ଛାତ୍ର ।

କେନ୍ଦ୍ରାପଡା ରାଧାଗୋବିନ୍ଦ ନୋଡାଲ ବିଦ୍ୟାପୀଠର ଛାତ୍ର ମଣ୍ଟୁ ମଲ୍ଲିକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଦେଇଥିଲେ । ହେଲେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ନାମ, ବାପାଙ୍କ ନାମ ଓ ଫଟୋ ସଂପୂର୍ଣ୍ଣ ଭୂଲ ଦେଇଥିବାରୁ ମଣ୍ଟୁ ଆର୍ଡିମିଟକାର୍ଡ ଆସିନାହିଁ । ବିଦ୍ୟାଳୟର ଅନ୍ୟ ପିଲାମାନେ ଆର୍ଡମିଟକାର୍ଡ ପାଇ ସାରିଥିବା ବେଳେ ଏଯାଏଁ ମଣ୍ଟୁଙ୍କୁ  ଆର୍ଡମିଟକାର୍ଡ ମିଳିନାହିଁ । ଜଣେ ମେଧାବୀ ଛାତ୍ର ବର୍ଷ ଯାକ ପରିଶ୍ରମ କରି ପାଠପଢି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ତ୍ରୁଟି ତାଙ୍କ ଭବିଷ୍ୟତ ସହ ଖେଳ ନୁହେଁ କି? ତେଣେ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି କି ସେ ୩ମାସ ପରେ ପରୀକ୍ଷା ଦେବେ। ମାତ୍ର ଛାତ୍ରଙ୍କର ଯେଉଁ ବହୁମୂଲ୍ୟ ସମୟ ନଷ୍ଟ ହେବ ସେଥିଲାଗି କିଏ ଦାୟୀ?

ସାଧାରଣ ଲୋକ ଓ ଛାତ୍ରଙ୍କ ପରିବାରରେ ଏହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ସେ ପରେ ପରୀକ୍ଷା ଦେବେ । ସ୍କୁଲ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ଛାତ୍ର ଜଣଙ୍କ କାହିଁକି ତାଙ୍କ ସମୟ ନଷ୍ଟ କରିବେ? ଆଉ କେମିତି ପରେ ପରୀକ୍ଷା ଦେବେ? ତାଙ୍କର ଯେଉଁ ସମୟ ନଷ୍ଟ ହେବ ତା’ର ପାଉଣା କିଏ ଦେବ? ଏବେ ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ ।

ସମ୍ବନ୍ଧିତ ଖବର