ଭୁବନେଶ୍ୱର : ବିବାଦ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପିଛା ଛାଡ଼ୁନି। ପରୀକ୍ଷା କାର୍ଯ୍ୟସୂଚୀରେ ବିଭ୍ରାଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି। ପୂର୍ବାହ୍ନରେ ଶତାଧିକ ଛାତ୍ରଛାତ୍ରୀ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରିବା ସହ ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟ ପରୀକ୍ଷା ଭିନ୍ନ ଭିନ୍ନ ଦୁଇ ଦିନରେ କରିବାକୁ ଦାବି କରିଛନ୍ତି। ଏହାକୁ ନେଇ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ପ୍ରାୟ ୩ ଘଣ୍ଟା ଧରି ପରିଷଦର କାର୍ଯ୍ୟାଳୟ ଘେରାଉ କରିଥିଲେ ମଧ୍ୟ ପରିଷଦ ଅଧ୍ୟକ୍ଷ ସୁନ୍ଦରଲାଲ୍ ସିଲ୍ଙ୍କ ଦେଖା ମିଳି ନ ଥିଲା। ପରୀକ୍ଷା ନିୟନ୍ତ୍ରକ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ଓହରି ନ ଥିଲେ। ଯେପର୍ଯ୍ୟନ୍ତ ଲିଖିତ ପ୍ରତିଶ୍ରୁତି ନ ମିଳିଛି ସେପର୍ଯ୍ୟନ୍ତ ଧାରଣାରୁ ହଟିବୁ ନାହିଁ ବୋଲି ସେମାନେ କହିଥିଲେ। ଶେଷରେ ପରୀକ୍ଷା ନିୟନ୍ତ୍ରକ ବାଧ୍ୟ ହୋଇ ନଭେମ୍ବର ଶେଷ ସୁଦ୍ଧା ଏନେଇ ବିଚାର କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଯୁକ୍ତ୨ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଯେ ସିବିଏସ୍ଇ ସିଲାବସ୍ ଅନୁଯାୟୀ ପ୍ରଶ୍ନପତ୍ର ହୋଇଛି। ତେଣୁ ସିବିଏସ୍ଇ ଢାଞ୍ଚାରେ ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟକୁ ମିଶାଇ ଜୀବ ବିଜ୍ଞାନ ବିଷୟର ପରୀକ୍ଷା କରାଯାଉଛି। ଗତବର୍ଷଠାରୁ ନୂଆ ସିଲାବସ୍ ଲାଗୁ ହୋଇଥିବାରୁ କଲେଜ କର୍ତୃପକ୍ଷ କିଭଳି ଏନେଇ ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଦାବିକୁ ଗ୍ରହଣ କରାଯାଇଛି। ପରିଷଦ ଅଧ୍ୟକ୍ଷ ଆସିଲା ପରେ ଏବିଷୟରେ ତାଙ୍କୁ ଜଣାଯିବ। ନଭେମ୍ବର ଶେଷ ସୁଦ୍ଧା ପରୀକ୍ଷା କମିଟି ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।