ମାଟ୍ରିକ୍‌ ଫେଲ୍ ପାଇଁ……..

ଜୀବନ ହାରିଲେ ଅରକ୍ଷିତ

ଛେଣ୍ଡିପଦା : ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିବାର ମାତ୍ର ଦୁଇ ଘଣ୍ଟା ବ୍ୟବଧାନରେ ଛେଣ୍ଡିପଦା ବ୍ଲକର ଦୁଇଟି ଗାଁରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରୀକ୍ଷା ଫଳ ଖରାପ ହେବା ଯୋଗୁ କୁଶକିଳା ନବଜ୍ୟୋତି ହାଇସ୍କୁଲର ଛାତ୍ର ଅରକ୍ଷିତ ସାହୁ(୧୬) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବାଲିପଟ୍ଟା ପଞ୍ଚାୟତର ଆଉ ଜଣେ ଛାତ୍ରୀ ବିଷ ପିଇ ଗୁରୁତର ହୋଇଛନ୍ତି।

ପୂର୍ବାହ୍‌ଣ ପ୍ରାୟ ୧୧ଟା ବେଳେ ଅରକ୍ଷିତ ଏଭଳି ଚରମ ପଦକ୍ଷେପ ନେଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଗାଁ ମଶାଣି ପାଖ ଏକ ଗଛରେ ବେକରେ ରଶି ଲଗାଇ ଓହଳି ପଡ଼ିଥିଲେ। ବହୁ ସମୟ ଧରି ଅରକ୍ଷିତଙ୍କ ଦେଖା ନ ମିଳିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଗଛରେ ତାଙ୍କର ମୃତ ଦେହ ଝୁଲୁଥିବା ଦେଖି ପରିବାର ଲୋକେ ହତବାକ୍‌ ହୋଇଛନ୍ତି। ଅନୁରୂପ ଘଟଣା ଘଟିଛି ବାଲିପଟ୍ଟା ପଞ୍ଚାୟତ ଅଞ୍ଚଳରେ। ପରୀକ୍ଷା ଫଳ‌େର ନିରାଶ ହୋଇ ଜଣେ ଛାତ୍ରୀ ହଠାତ୍‌ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହେବାରୁ ଫ୍ୟାନ୍‌ରେ ଝୁଲି ଆତ୍ମହ୍ୟା କରିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ କଲ୍ୟାଣପୁରର କଲ୍ୟାଣୀ ପ୍ରଧାନ। କମଳଲୋଚନ ପ୍ରଧାନଙ୍କ ଝିଅ କଲ୍ୟାଣୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ଆଜି ଫଳ ପ୍ରକାଶ ପାଇବା ପରେ ସେ ଫେଲ ହୋଇଥିବା ଜଣା ପଡ଼ିଥିଲା। ପରିବାର ସଦସ୍ୟ ବୁଝାଶୁଝା କରିଥିଲେ ମଧ୍ୟ ସେ ଘର ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଅପରାହ୍‌ଣରେ ଘର ଲୋକ ଏହା ଦେଖି କଲ୍ୟାଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍‌ପିଟାଲ ପଠାଇ ଦେଇଥିଲେ। ଏଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କମ ନମ୍ବର ବୋଲି ଆତ୍ମହତ୍ୟା କଲେ ଛାତ୍ର

ରୁପ୍‌ସା/ଗାନ୍ଧିଛକ : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ପଣ୍ଡୁରୁଙ୍ଗି ଗ୍ରାମରେ ଆଜି ଜଣେ ଛାତ୍ର ମାଟ୍ରିକ୍‌ ପରୀକ୍ଷାରେ କମ୍‌ ନମ୍ବର ରଖିଥିବାରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ; ଗ୍ରାମର ଅନନ୍ତ ସେଠୀଙ୍କ ପୁଅ ଶଙ୍କର୍ଷଣ (୧୬)। ଶଙ୍କର୍ଷଣ ଶ୍ରୀରାମପୁର ପଞ୍ଚାୟତ ମାଣ୍ଡୁରୁକୁଲା ସ୍ଥିତ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାରେ ଆଶା ଅନୁସାରେ ନମ୍ବର ରଖିନଥିବା ଜାଣି ଘରେ ଧାନଚାଷ‌ରେ ବ୍ୟବହାର ପାଇଁ ରଖାଯାଇଥିବା ବିଷ ପିଇଦେଇଥିଲେ। ଘରଲୋକ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର