ଜଙ୍ଗଲରୁ ମିଳିଲା ଛାତ୍ରଙ୍କ ଶବ

ଭଂଜନଗର: ଦୀର୍ଘ ୨୧ ଦିନ ହେଲା ନିଖୋଜ ଥିବା ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ଭୋଗର ଗ୍ରାମର ଏମ୍‌ବିଏ ଛାତ୍ର ଜିତେନ୍ଦ୍ର ପ୍ରଧାନ(୨୪) ଓରଫ୍‌ ଜିତୁଙ୍କୁ ଅପହରଣ ପରେ ହତ୍ୟା କରା ଯାଇଥିବା ଆଜି ସ୍ପଷ୍ଟ ହୋଇଛି। ଆଜି ସକାଳେ ଜିତୁଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ସନ୍ଧାନୀ କୁକୁର ସହାୟତାରେ ତିନିଛକିଆ-ବାରଦଣ୍ଡା ଗାଁ ମଝି କିରିଆମ୍ବା ଜଙ୍ଗଲ ଭିତରେ ଜିତୁଙ୍କୁ ପୋତା ଯାଇଥିବା ସ୍ଥାନର ସନ୍ଧାନ ମିଳିଥିଲା। ଏହା ପରେ ପୁଲିସ ଉପସ୍ଥିତିରେ ମାଟି ଖୋଳାଯାଇ ଶବ ବାହାର କରା ଯାଇଥିଲା। ଭୁବନେଶ୍ୱରର ଏକ ଘରୋଇ ଅନୁଷ୍ଠାନରେ ଏମ୍‌ବିଏ ପଢୁଥିବା ଜିତେନ୍ଦ୍ର ତାଙ୍କ ଗାଁର ପ୍ରଭଞ୍ଜନ ତ୍ରିପାଠୀଙ୍କ ସହ ମିଶି ଏକ କୁକୁଡ଼ା ଫାର୍ମ କରିଥିଲେ। କିଛି ଦିନ ତଳେ ଉଭୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗତ ୨୮ ତାରିଖରୁ ଭୁବନେଶ୍ୱର ଯାଉଛି କହି ଜିତେନ୍ଦ୍ର ନିଖୋଜ ହୋଇ ଯାଇଥିଲେ। ପ୍ରଭଞ୍ଜନଙ୍କ ସହ ଗଣ୍ଡଗୋଳ ଘଟଣାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ସେହିପରି ଜିତେନ୍ଦ୍ରଙ୍କ ୨ଟି ମୋବାଇଲ୍‌ ନମ୍ବରର କଲ୍‌ ରେକର୍ଡ଼ ଯାଞ୍ଚ ହୋଇଥିବା ବେଳେ ଅଧିକାଂଶ କଲ୍‌ ଭୁବନେଶ୍ୱରରେ ନର୍ସିଂ ତାଲିମ ନେଉଥିବା ଜଣେ ଯୁବତୀ ଓ ଭାଗୁଆଳୀ ପ୍ରଭଞ୍ଜନଙ୍କ ଭଉଣୀ ପାଖକୁ ଯାଇଥିବା ତଦନ୍ତ ବେଳେ ଜଣାପଡ଼ିଛି ବୋଲି ପୁଲିସ କହିଛି। ଶବ ମିିଳିବା ପରେ ଗ୍ରାମବାସୀ ହଠାତ୍‌ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ଘୁମୁସର କୁଇ ସମାଜର କର୍ମକର୍ତା ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସେଠାରେ ପହଞ୍ଚି ଯିବାରୁ ପରିସ୍ଥିତି ଅଧିକ ଅଣାୟତ୍ତ ହୋଇଥିଲା। ପୁଲିସ-ଉତ୍ତ୍ୟକ୍ତ ଜନତା ମୁହାମୁହିଁ ହୋଇଥିଲେ। କୁଇ ସମାଜ ସମନ୍ଵୟ ସମିତି ସାଧାରଣ ସଂପାଦକ ତଥା ବରିଷ୍ଠ ଆଦିବାସୀ ନେତା ଲମ୍ବୋଦର କହଁର ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଶବ ଉଦ୍ଧାର କରିବାକୁ ଯାଇଥିବା ଭଂଜନଗର ପୁଲିସକୁ ସେମାନେ ଘେରାଉ କରିଥିଲେ। ପୁଲିସ ଭ୍ୟାନ୍‌ ଚକରୁ ହାଓ୍ଵା ଖୋଲିଦେଇ ରାସ୍ତାରୋକ କରିଥିଲେ। ଜଣେ ପୁଲିସ ଏସ୍‌ଆଇ ବାସୁଦେବ ସାହୁଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲା ପେଲା କରି ମୁଣ୍ଡ ଫଟାଇ ଦେଇଥିଲେ। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଭଉଣୀକୁ ଚାକିରୀ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ତାରସିଂ ଥାନା ଅଧିକାରୀ ଓ ରାଇଟର୍‌ଙ୍କୁ ବଦଳି ସମେତ ୭ ଦଫା ଦାବିରେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିଲା। ପ୍ରଶାସନ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ସମ୍ବନ୍ଧିତ ଖବର