ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷାକୁ ଗୁରୁତ୍ବ

ଭୁବନେଶ୍ବର : ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷାକୁ ବ୍ୟାପକ କରାଯିବ। ରାଜ୍ୟ ସରକାରଙ୍କ ‘ସୁନେତ୍ର’ ଯୋଜନା ମାଧ୍ୟମରେ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ଧାରିତ ସମୟରେ ଅନ୍ଧତ୍ବ ଦୂରୀକରଣ ଲକ୍ଷ୍ୟ ହାସଲ ଓ ଉନ୍ନତମାନର ଚକ୍ଷୁ ଚିକିତ୍ସା ବ୍ୟବସ୍ଥା ଓ ଚଷମା ଯୋଗାଇ ଦେବା ଉପରେ ଆଲୋଚନା ହୋଇଛି। ଏହାସହ ମାଗଣା ମୋତିଆବିନ୍ଦୁ ‌ଅସ୍ତ୍ରୋପଚାର, ଗୋଷ୍ଠୀସ୍ତରରେ ଚକ୍ଷୁ ପରୀକ୍ଷା, ମଧୁମେହ ଜନିତ ରେଟିନୋପାଥି ଚିକିତ୍ସା ସହ ସମସ୍ତ ପ୍ରକାର ଗୁରୁତର ଚକ୍ଷୁ ରୋଗର ମାଗଣା ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ସହ ୫୦ଟି ଦୃଷ୍ଟିକେନ୍ଦ୍ର ସ୍ଥାପନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ସେସବୁ କାର୍ଯ୍ୟକ୍ଷମ ହେବ। ସେହିପରି ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଡିଜିଟାଲ କରିବା ପାଇଁ ୱେବ୍‌ପୋର୍ଟାଲ, ମୋବାଇଲ ଆପ୍ ଓ ଇଲେକଟ୍ରୋନିକ୍ ମେଡିକାଲ ରିପୋର୍ଟ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।

ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ଏଚ୍ ପଟ୍ଟନାୟକ, ଅତିରିକ୍ତ ମିସନ୍‌ ନିର୍ଦେଶକ ମୃଳାଣକାନ୍ତି ଦାଶ ଓ ରାଜ୍ୟ ନୋଡାଲ ଅଧିକାରୀ ଡା. ଜେ.ଏନ୍ ଷଡ଼ଙ୍ଗୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର