ଚେତିଲା ଗଣଶିକ୍ଷା ବିଭାଗ : ସ୍କୁଲ ଖୋଲିଲେ ପିଲାଙ୍କୁ ମିଳିବ ବହି

ଭୁବନେଶ୍ୱର : ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମାଗଣା ପାଠ୍ୟପୁସ୍ତକ ବଣ୍ଟନରେ ଏଥର ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ୪ ବର୍ଷ ହେଲା ବିଳମ୍ବରେ ପିଲାଙ୍କୁ ପାଠ୍ୟପୁସ୍ତକ ଦିଆଯାଉଥିବା ନେଇ ନିନ୍ଦା, ଅପବାଦ ମୁଣ୍ଡାଇବା ପରେ ଏଥର ଆଗୁଆ ପଦକ୍ଷେପ ନିଆଯାଇଛି। ରଜ ଛୁଟି ପରେ ସ୍କୁଲ ଖୋଲିବା କ୍ଷଣି ପିଲାଙ୍କୁ ବହି ଯୋଗାଇ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଗତ ୪ ବର୍ଷ ହେଲା ମେ’ ସୁଦ୍ଧା ମାଗଣା ବହି ବିଦ୍ୟାଳୟରେ ପହଞ୍ଚାଇବାକୁ ଯୋଜନା ରଖାଯାଉଥିଲେ ମଧ୍ୟ ସଫଳତା ମିଳି ନ ଥିଲା। ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଅଗଷ୍ଟ ମାସ ପର୍ଯ୍ୟନ୍ତ ବି ବହି ପାଉ ନ ଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା। କେଉଁଠି ଛାତ୍ରଛାତ୍ରୀ, ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଥିଲେ ତ ଆଉ କେଉଁଠି ଧାରଣାରେ ବସିଥିଲେ। ନିର୍ଧାରିତ ସମୟରେ ମଧ୍ୟରେ ବହି ଛାପିବା ଓ ବାଣ୍ଟିବା ହେଉ ନ ଥିବାରୁ ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଥିଲା। ତେଣୁ ଏଥର ଆଗୁଆ ପଦକ୍ଷେପ ନେଇ ୨୦୧୭ ସେପ୍ଟେମ୍ବରରୁ ବହି ଛପା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ଏପ୍ରିଲ ମାସରୁ ବିଦ୍ୟାଳୟଗୁଡ଼ିକୁ ବହି ପଠାଯାଇଥିଲା। ଯେଉଁଥିପାଇଁ ମେ’ ଶେଷ ସୁଦ୍ଧା ୯୭.୬୪ ପ୍ରତିଶତ ବହି ବଣ୍ଟା ସରିଛି। ଆସନ୍ତା ଜୁନ୍‌ ୧୦ ତାରିଖ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ବହି ପହଞ୍ଚିବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୫ ଲକ୍ଷ ୯୪ ହଜାର ୫୪୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨ କୋଟି ୮୯ ଲକ୍ଷ ୧୦ ହଜାର ପାଠ୍ୟପୁସ୍ତକର ଆବଶ୍ୟକତା ରହିଛି। ସେହି ଅନୁଯାୟୀ ଏବେ ସୁଦ୍ଧା ୨ କୋଟି ୭୨ ଲକ୍ଷ ୮୦ ହଜାର ଖଣ୍ଡ ବହି ବିଦ୍ୟାଳୟକୁ ଯୋଗାଣ ହୋଇଛି। କେତେକ ଜିଲ୍ଲାରେ ଶତ ପ୍ରତିଶତ ବହି ପହଞ୍ଚି ଯାଇଥିବାବେଳେ ଗୋଟିଏ ଦୁଇଟି ଜିଲ୍ଲାରେ ୯୦ ପ୍ରତିଶତ ପାଠ୍ୟପୁସ୍ତକ ପହଞ୍ଚିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

ମାଲକାନଗିର, ଜଗତ୍‌ସିଂହପୁର, ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଜିଲ୍ଲାର ଅଧିକାଂଶ ବିଦ୍ୟାଳୟରେ ପାଠ୍ୟପୁସ୍ତକ ପହଞ୍ଚି ସାରିଛି। ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସୋନପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଅଳ୍ପ କିଛି ବିଦ୍ୟାଳୟରେ ବହି ପହଞ୍ଚି ନାହିଁ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଜୁନ୍‌ ୧୮ ତାରିଖରେ ବିଦ୍ୟାଳୟ ଖୋଲିବ। ତେଣୁ ଏହା ପୂର୍ବରୁ ସବୁ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବାକୁ କୁହାଯାଇଛି।

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏବର୍ଷ ପୁସ୍ତକ ପ୍ରକାଶନରେ କୌଣସି ଅସୁବିଧା ହୋଇ ନାହିଁ। ନିର୍ଧାରିତ ସମୟରେ ଟେଣ୍ଡର କରାଯାଇ ପାଠ୍ୟପୁସ୍ତକ ଛପାଇବାକୁ ଦିଆଯାଇଥିଲା। ତେଣୁ ମାର୍ଚ୍ଚ ମାସ ମଧ୍ୟରେ ଆମ ନିକଟରେ ବହି ପହଞ୍ଚିଥିଲା। ଏପ୍ରିଲ ୨ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଥିଲା। ପ୍ରଥମେ ଅଭ୍ୟନ୍ତରୀଣ ଓଡ଼ିଶାରେ ଥିବା ବିଦ୍ୟାଳୟଗୁଡ଼ିକୁ ପଠାଯାଇଥିଲା। ବାକି ଜିଲ୍ଲାଗୁଡ଼ିକୁ ଏବେ ବି ପଠା ଯାଉଛି। ଜୁନ୍‌ ୧୦ ମଧ୍ୟରେ ସବୁ ଜିଲ୍ଲାରେ ଶତ ପ୍ରତିଶତ ବହି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର