ଛାତ୍ରଛାତ୍ରୀଙ୍କୁ ମିଳୁନି ପାଠ୍ୟ ପୁସ୍ତକ, ପାଠ ପଢାରେ ସମସ୍ୟା

ତେନ୍ତୁଳିଖୁଣ୍ଟି : ଗତ ଏପ୍ରିଲ ମାସରୁ ଶିକ୍ଷା ବର୍ଷ ଆରମ୍ଭ ହେଲାଣି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢା ହେବାର ୫ ମାସ ବିତିଯାଇଥିଲେ ସୁଦ୍ଧା ଏଯାବତ ସରକାରଙ୍କ ପକ୍ଷରୁ ପିଲାଙ୍କୁ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉନି। ଯଦ୍ୱାରା ସେମାନଙ୍କ ପାଠ ପଢାରେ ବହୁ ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ନେଇଁ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ସରକାର ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ପ୍ରଦାନ କରିବାର ବ୍ୟବସ୍ଥା କରିଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।

ତେନ୍ତୁଳିଖୁଣ୍ଟି ବ୍ଲକର ୧୫ଟି ପଞ୍ଚାୟତରେ ୧୭ଟି ଉଚ୍ଚ ବିଦ୍ୟାଳୟ ଥିବା ବେଳେ ୨୦୬୪ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେବେ ଅଗଷ୍ଟ ମାସ ଶେଷ ହେବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇନଥିବା ଜଣାପଡିଛି। ଯଦ୍ୱାରା ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ତାଙ୍କ ପାଠ ପଢାରେ ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ମାସରୁ ପ୍ରିଟେଷ୍ଟ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ପିଲାମାନେ କେମିତି ପରୀକ୍ଷା ଦେବେ ସେନେଇ ଅଭିଭାବକ ଏବଂ ଶିକ୍ଷକ ମହଲରେ ଚିନ୍ତାର କାରଣ ହୋଇଛି। ଆବଶ୍ୟକ ପରିମାଣରେ ବହି ବଜାରରେ ମହଜୁଦ ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସେହିପରି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଦ୍ୟାବଧି ସମସ୍ତ ବହି ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ତେଣୁ ପିଲାଙ୍କ ଭବିଷ୍ୟତ ଗଠନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ ପାଠ୍ୟ ପୁସ୍ତକ ପ୍ରଦାନ ନିମନ୍ତେ ଦାବି ହୋଇଛି।

ସମ୍ବନ୍ଧିତ ଖବର