ବର୍ଷା ପାଇଁ ସତର୍କ ହେଲେ ସରକାର : ଛାତ୍ରଛାତ୍ରୀଙ୍କୁ ଆଜି ପରେଡ୍‌ ମନା, ପରେଡ୍‌ ସ୍ଥଳରେ ସାଂସ୍କୃତିକ ଓ କ୍ରୀଡ଼ା ପ୍ରଦର୍ଶନ ବି କରାଯିବନି

ଭୁବନେଶ୍ୱର : ଏଥର ସ୍ୱାଧୀନତା ଦିବସ ପରେଡ୍‌ରେ ଛାତ୍ରଛାତ୍ରୀ ଭାଗ ନେବେନାହିଁ। ପରେ଼ଡ୍‌ ପରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବା ଖେଳକୁଦ ଆଦି କରାଯିବ ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ଗୃହ ବିଭାଗ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। ଆଜି ଅପରାହ୍ନରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ସମସ୍ତ ଆର୍‌ଡିସି ଓ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହା ନିଶ୍ଚିତ ପାଳନ ହେଉଛି କି ନାହିଁ, ତାହା ଦେଖିବା ଲାଗି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବଡ଼ଧରଣର ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବନାହିଁ। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ସରକାରଙ୍କୁ ବିଚଳିତ କରିଛି। ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉଚ୍ଚ ପଦାଧିକାରୀଙ୍କୁ ଡାକି ପୂର୍ବାହ୍ନରେ ଏକ ବୈଠକ ନେଇଥିଲେ। ବୈଠକରେ ପାଣିପାଗ ବିଭାଗର ଅଧିକାରୀମାନେ ଭୟାବହ ବର୍ଷା ସ୍ଥିତି ସଂପର୍କରେ ସୂଚାଇଥିଲେ। ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆସନ୍ତାକାଲି ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଭାଗ ନେବେ। ଯେହେତୁ ବଡ଼ ବର୍ଷା ଓ ବଜ୍ରପାତ ପୂର୍ବାନୁମାନ ରହିଛି, ଏଣୁ ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର।

ଅପରାହ୍ନରେ କିନ୍ତୁ ସରକାରଙ୍କ ନିଷ୍ପତ୍ତି ବଦଳିଥିଲା। ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି। ତେଣୁ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ସମାରୋହ ଅବସରରେ ପାଳିତ ହେବାକୁ ଥିବା ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ଓ ସବ୍‌ ଡିଭିଜନ୍‌ସ୍ତରୀୟ ପରେଡ୍‌ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ କରିବେ ନାହିଁ। କେବଳ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ସାମିଲ ହୋଇପାରିବେ।

ସ୍ୱାଧୀନତା ଦିବସ ପାଳନ ଅବସରରେ ପରେଡ୍‌ ପଡ଼ିଆରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶିତ ହେବ ନାହିଁ। ପରେଡ୍‌ରେ ଅଂଶଗ୍ରହଣ କରୁଥିବା ଅତିଥିଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

ଆଜି ପୂର୍ବାହ୍ନରେ ହୋଇଥିବା ବୈଠକରେ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦେଶକ, ଉନ୍ନୟନ କମିସନର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ୍‌ କମିସନର, ବରିଷ୍ଠ ପୁଲିସ ଅଧିକାରୀ, ଭୁବନେଶ୍ୱର ମହାନଗର ନିଗମ କମିସନର ଓ ପାଣିପାଗ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର