କୋରାପୁଟ : କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇ ଉଠିଥିଲା। ତେବେ, ଗୋଟିଏ ପଟେ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳିତ ହେଉଥିବାବେଳେ ଅନ୍ୟପଟେ ଛାତ୍ରଛାତ୍ରୀମାନେ ଏହାକୁ କଳାଦିବସ ଭାବେ ପାଳନ କରିଥିଲେ। ବିଶ୍ୱବିଦ୍ୟାଳୟର ମୌଳିକ ସମସ୍ୟା ପୂରଣ ହେଉନଥିବା ପ୍ରତିବାଦରେ ଧାରଣାରେ ବସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୁନାବେଡା ସ୍ଥିତ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ପରିସରରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ଅବସରରେ ‘ଭାରତ ଓ ବିଶ୍ୱ’ ଶୀର୍ଷକ ଏକ ବକ୍ତତା ପ୍ରଦାନ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିଲା। କ୍ତତା ପ୍ରଦାନ କରିଥିଲେ କୂଟନୀତିଜ୍ଞ ତଥା ଅବସରପ୍ରାପ୍ତ ଭାରତୀୟ ବିଦେଶ ସେବା ଅଧିକାରୀ ଅଶୋକ ସଜନହର। ଶ୍ରୀ ସଜନହର ନିଜର ଅଭିଭାଷଣରେ କହିଥିଲେ ଯେ, ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଭିନ୍ନ ଭିନ୍ନ ମତବାଦ ସତ୍ତ୍ୱେ ଭାରତ ଏକ ସଫଳ ଗଣତନ୍ତ୍ର ରାଷ୍ଟ୍ର ଭାବେ ବିଶ୍ୱରେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇ ରହିଛି। ବ୍ୟାପକ ଭୌଗୋଳିକ ପରିସୀମା, ବିଶାଳ ଜନସଂଖ୍ୟା, ସାଂସ୍କୃତିକ ବିଭେଦତା ଭାରତକୁ ଅଲଗା କରି ପାରିନି।
ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପି.ଭି. କ୍ରିଷ୍ଣା ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଅସିତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟପକ୍ଷରେ, ଶହଶହ ଛାତ୍ରଛାତ୍ରୀ ପ୍ରତିଷ୍ଠା ଦିବସକୁ କଳା ଦିବସ ଭାବେ ପାଳନ କରିବା ସହ ଉତ୍ସବକୁ ବର୍ଜନ କରିଥିଲେ।