ନିଟ୍‌ରେ କଷ୍ଟ ପ୍ରଶ୍ନପତ୍ର, ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ବର : ‌ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ପ୍ରବେଶିକା ପରୀକ୍ଷା ଶେଷ ହୋଇଛି। ମେ’ ୫ରେ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଗତ ୨୦ ତାରିଖରେ ଓଡ଼ିଶା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ତେବେ ପରୀକ୍ଷା ଦିନ ଆଡମିଟ୍‌ କାର୍ଡରେ ତ୍ରୁଟି ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବହୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏବେ ଆଉ ଏକ ତ୍ରୁଟି ପଦାକୁ ଆସିଛି। ମେ’ ୫ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଯେଉଁ ପ୍ରକାରର ପ୍ରଶ୍ନପତ୍ର ହୋଇଥିଲା ଓଡ଼ିଶା ପିଲାଙ୍କ ଲାଗି ପ୍ରଶ୍ନପତ୍ରଗୁଡ଼ିକ କଷ୍ଟକର ଥିଲା। ଯେଉଁଥିପାଇଁ ସର୍ବଭାରତୀୟସ୍ତରରେ ପ୍ରକାଶ ପାଇବାକୁ ଥିବା ରୢାଙ୍କରେ ଓଡ଼ିଆ ପିଲା ଭଲ ପ୍ରଦର୍ଶନ କରିବେ ନାହିଁ। ଭଲ ମେଡିକାଲ କଲେଜରେ ସିଟ୍‌ ମିଳିବା ବେଳେ ସମସ୍ୟା ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ଅଭିଯୋଗ ଅନୁଯାୟୀ ୫ ତାରିଖରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ରର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଶ୍ନଗୁଡ଼ିକ ଅତି ସହଜ ଥିଲା। ତେଣୁ ଦେଶର ଛାତ୍ରଛାତ୍ରୀ ଉକ୍ତ ବିଷୟରେ ଭଲ ପ୍ରଦର୍ଶନ କରିବେ। ତେବେ ଓଡ଼ିଶା ପିଲାଙ୍କ ପ୍ରଶ୍ନପତ୍ରରେ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଶ୍ନଗୁଡ଼ିକ କଷ୍ଟକର ଥିଲା। ବହୁ ପରୀକ୍ଷାର୍ଥୀ ଉତ୍ତର ଦେଇପାରି ନାହାନ୍ତି। ପରୀକ୍ଷାରେ ଖରାପ କରିଥିବାରୁ ଭଲ ରୢାଙ୍କ ଆସିବନି। ସର୍ବଭାତୀୟସ୍ତରରେ ରୢାଙ୍କ ପ୍ରକାଶ ପାଇବ। ଅନ୍ୟ ରାଜ୍ୟଗୁଡ଼ିକର ପିଲାଙ୍କ ସହ ଓଡ଼ିଶା ପିଲାଙ୍କ ରୢାଙ୍କ ପ୍ରକାଶ ପାଇବ। ଫଳରେ ଓଡ଼ିଆ ପିଲା ଭଲ ରୢାଙ୍କ ପାଇବେ ନାହିଁ। ଦେଶରେ ଥିବା ପ୍ରମୁଖ ମେଡିକାଲ ଶିକ୍ଷାନୁଷ୍ଠାନରେ ନାମଲେଖା ବେଳେ ଓଡ଼ିଶାର ପିଲା ଅସୁବିଧାରେ ପଡ଼ିବେ। ଓଡ଼ିଶାରେ ସୀମିତ ସିଟ୍‌ ଥିବାରୁ ପିଲାମାନେ ବାହାର ରାଜ୍ୟର ଡିମ୍‌ଡ ବିଶ୍ବବିଦ୍ୟାଳୟ ଓ ଘ‌ରୋଇ ମେଡିକାଲ କଲେଜରେ ନାମଲେଖା ଲାଗି ଆବେଦନ କରିବେ। ଭଲ ରୢାଙ୍କ ନଥିବାରୁ ସେଠାରେ ବି ସେମାନଙ୍କୁ ନିରାଶ ହେବାକୁ ପଡ଼ିପାରେ। ତେଣୁ ଓଡ଼ିଶା ପିଲାଙ୍କ ଲାଗି କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଶିକ୍ଷାବିତ୍‌ମାନେ ମତ ଦେଇଛନ୍ତି।

ଏପରିକି ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏଥିସହ ଓଡ଼ିଶାରେ ଥିବା ସରକାରୀ କଲେଜଗୁଡ଼ିକର ମୋଟ ସିଟ୍‌ର ୧୫ ପ୍ରତିଶତ ସର୍ବଭାରତୀୟ କୋଟା ସିଟ୍‌ରେ ଓଡ଼ିଶା ପିଲାଙ୍କ ନାମଲେଖା, ଗ୍ରେସ୍‌ ମାର୍କ ପ୍ରଦାନ, ଓଡ଼ିଶାରେ ଥିବା ଡିମ୍‌ଡ ବିଶ୍ବବିଦ୍ୟାଳୟରେ ‘ଫନି’ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଲାଗି ସିଟ୍‌ ସଂରକ୍ଷିତ ରଖିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର