ସଂକ୍ଷିପ୍ତ ହେବ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା!

ମତ ଲୋଡ଼ିଲା ଉଚ୍ଚଶିକ୍ଷା ବିଭାଗ, ନିର୍ବାଚନକୁ ଅଧିକାଂଶ ଅଧ୍ୟକ୍ଷଙ୍କ ନା

ଭୁବନେଶ୍ବର : ଛାତ୍ର ସଂସଦ ନିର୍ବାଚନ ଯୋଗୁଁ ଅଧିକାଂଶ କଲେଜରେ ପାଠପଢ଼ା ବ୍ୟାହତ ହେଉଛି। ଅତିକମ୍‌ରେ ୧୫ ଦିନ ଧରି କ୍ୟାମ୍ପସରେ କ୍ଲାସ୍‌ ହୋଇପାରୁନି। ଛାତ୍ରଛାତ୍ରୀ କ୍ଲାସ୍‌କୁ ଆସୁନାହାନ୍ତି। ପାଠପଢ଼ାରେ ମନ ଦେଉନାହାନ୍ତି। ଏମିତି ସ୍ଥିତି ହେଉଛି ଯେ ଗୋଟିଏ ଗୋଟିଏ କ୍ଲାସ୍‌ ଖାଲି ପଡ଼ୁଛି। ତେଣୁ ଛାତ୍ର ସଂସଦ ନିର୍ବାଚନ ନ ହେଉ। ଗତ କିଛି ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ସମୟରେ କ୍ୟାମ୍ପସ‌ରେ ବଢ଼ୁଥିବା ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟର ଅଧିକାଂଶ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ଏଭଳି ମତ ପ୍ରକାଶ କରିଛନ୍ତି।

କ୍ୟାମ୍ପସରେ କାହିଁକି ଅଶାନ୍ତି ବଢ଼ୁଛି? ନିର୍ବାଚନ ହେବା ଆବଶ୍ୟକ କି ନାହିଁ? ଏ ବିଷୟରେ ଜାଣିବା ଲାଗି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଲେଜ ଅଧ୍ୟକ୍ଷମାନଙ୍କଠାରୁ ମତାମତ ଲୋଡ଼ିଥିଲେ। ଉତ୍ତରରେ କଲେଜ କର୍ତୃପକ୍ଷ ସେମାନଙ୍କ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧିକାଂଶ ଅଧ୍ୟକ୍ଷଙ୍କ କହିବା କଥା‌ ହେଉଛି ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖା ଦେଉଛି। ମାସକ ଆଗରୁ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ବଢ଼ୁଛି। ଅଣଛାତ୍ରଙ୍କ ପ୍ରବେଶ ହେଉଛି। ଛାତ୍ରଛାତ୍ରୀ ନିର୍ବାଚନରେ ଏଭଳି ମାତୁଛନ୍ତି ଯେ କ୍ଲାସକୁ ଆସୁନାହାନ୍ତି। ବାଧ୍ୟ ହୋଇ କ୍ଲାସ୍‌ ବନ୍ଦ କରିବାକୁ ପଡ଼ୁଛି। କ୍ୟାମ୍ପସରେ ଭଙ୍ଗାରୁଜା ହେବା ଦ୍ବାରା ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହେଉଛି। ଯାହାକୁ ଭରଣା କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ନିର୍ବାଚନ ବନ୍ଦ କରାଯାଉ। ନୂଆପଡ଼ା ଜିଲ୍ଲାର ଏକ କଲେଜର ଅଧ୍ୟକ୍ଷ କହିଥିଲେ, ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ୧୬ ଦିନ ଧରି କ୍ଲାସ୍‌ ହୋଇପାରୁନି। ଅଧିକାଂଶ କ୍ଲାସ ସସ୍‌ପେଣ୍ଡ କରିବାକୁ ପଡ଼ୁଛି। ପୁରୀ ଏସ୍‌ସିଏସ୍‌ କଲେଜ ଅଧ୍ୟକ୍ଷା ଗତବର୍ଷ ହୋଇଥିବା ଗଣ୍ଡଗୋଳ ଓ କ୍ୟାମ୍ପସ ସାଇନ୍‌-ଏ- ଡାଏ ସମ୍ପର୍କରେ ଅବଗତ କରାଇଥିଲେ। ତେବେ ଖଲ୍ଲିକୋଟ କଲେଜ ଅଧ୍ୟକ୍ଷ ନିର୍ବାଚନ ସପକ୍ଷରେ ମତ ରଖି କହିଥିଲେ, ନିର୍ବାଚନ ଯୋଗୁଁ କୌଣସି ଅସୁବିଧା‌ ହେଉନାହିଁ।

ଅଧ୍ୟକ୍ଷମାନଙ୍କ ମତ ଶୁଣିବା ପରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ନିର୍ବାଚନ ସମୟରେ କ୍ୟାମ୍ପସରେ କାହିଁକି ହିଂସା ହେଉଛି ସେନେଇ ଅଧ୍ୟକ୍ଷଙ୍କ ମତ ଲୋଡ଼ାଯାଇଥିଲା। ଅଧିକାଂଶ କଲେଜ କର୍ତୃପକ୍ଷ ସେମାନଙ୍କ ସମସ୍ୟା ସମ୍ପର୍କରେ କହିଛନ୍ତି। ଆମେ ସେମାନଙ୍କ ମତ ଶୁଣିବା ପରେ ଏ ନେଇ ବିଚାର ଆଲୋଚନା କରିବୁ। ଏଥର ନିର୍ବାଚନ ସମୟରେ ସମସ୍ତ କଲେଜରେ ଇଣ୍ଟରନାଲ ପରୀକ୍ଷା ଚାଲିଥିବ। ତେଣୁ ପରୀକ୍ଷାରେ ଯେପରି ବାଧା ନ ଉପୁଜେ ସେଥିପ୍ରତି ଗୁରୁତ୍ବ ଦିଆଯିବ। ନିର୍ବାଚନ ବନ୍ଦ ହେବ ନାହିଁ। ବରଂ କ୍ୟାମ୍ପସରେ ଛାତ୍ର ଅଶାନ୍ତିକୁ କିଭଳି ଏଡ଼ାଇ ଦିଆଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାକୁ ସଂକ୍ଷିପ୍ତ କରିବାକୁ ଯୋଜନା କରାଯାଉଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିନି। ବିଗତବର୍ଷରେ ନିର୍ବାଚନ ସମ୍ପର୍କରେ ବହୁ ଆଗରୁ ଘୋଷଣା କରାଯାଉଥିବାରୁ ଛାତ୍ର ଅଶାନ୍ତି ବଢ଼ୁଛି। କ୍ୟାମ୍ପସରେ ହିଂସା ଦେଖାଦେଉଛି। ତେଣୁ ଏଥର ଯେତେ ଦୂର ସମ୍ଭବ କମ୍ ସମୟ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର