ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ : ପୁନଃ ତାରିଖ ନିର୍ଦ୍ଧାରଣ କରିବାକୁ ଛାତ୍ର ସଙ୍ଗଠନଙ୍କ ଦାବି

ଭୁବନେଶ୍ବର : ଯାହା ଆଶଙ୍କା କରାଯାଉଥିଲା ସେୟା ହିଁ ହେଲା। ଗତକାଲି ରାତି ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଥିଲା। ହେଲେ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସ୍ଥିର ହୋଇ ନଥିଲା। ତଥାପି ଉକ୍ତ ୫ଟି ଜିଲ୍ଲାରେ ନିର୍ବାଚନ ବନ୍ଦ ହେବାର ଆଶଙ୍କା ଥିବା ବେଳେ ଆଜି ସକାଳେ ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏନେଇ ଘୋଷଣା କରିବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା।

ଅନ୍ୟପକ୍ଷରେ ପୂର୍ବାହ୍ନ ୧୦ଟା ବେଳକୁ ଉକ୍ତ ଜିଲ୍ଲାଗୁଡ଼ିକୁ ବ୍ୟତୀତ ଅନ୍ୟ ଜିଲ୍ଲାରେ ଥିବା ବିଶ୍ବବିଦ୍ୟାଳୟ ଓ କଲେଜରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଆରମ୍ଭ ହୋଇଥିଲା। ବର୍ଷା ହେଉଥିଲେ ମଧ୍ୟ ତାହାକୁ ଖାତିର ନକରି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଉତ୍ସାହର ସହ ଶୋଭାଯାତ୍ରା କରି କ୍ୟାମ୍ପସରେ ପହଞ୍ଚିଥିଲେ। ଝିପିଝିପି ବର୍ଷାରେ ଭିଜି ମଞ୍ଚ ଉପରେ ଛିଡ଼ା ହୋଇ କ୍ୟାମ୍ପସର ସମସ୍ୟା ଓ ତାହାର ସମାଧାନ କିଭଳି କରାଯିବ ସେନେଇ ପ୍ରତିଶ୍ରୁତି ଦେଇଥିଲେ। ‌ଏହି ସମୟରେ ସମର୍ଥକଙ୍କ ମଧ୍ୟରେ କାହିଁରେ କ’ଣ ଉତ୍ସାହ ଭରି ରହିଥିଲା। ବାଜା ବଜାଇ, ବାଣ ଫୁଟାଇ ଉତ୍ସାହିତ ହୋଇପଡ଼ିଥିଲେ। ଏହି ସମୟରେ ଖବର ଆସିଲା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟି‌େର ରଖି ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍‌ କରାଯାଇଛି। ଏହାପରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ଉତ୍ସାହ‌େର ଭଟ୍ଟା ପଡ଼ିଯାଇଥିଲା। ନିରାଶ ହୋଇପଡ଼ିଥିଲେ। କେହି କେହି ଭୋ ଭୋ ହୋଇ କାନ୍ଧି ପକାଉଥିବା ଦେଖିବାକୁ ମିଳିଥିଲା। ଦଶହରା ପରେ ଆଉ ଏକ ତା‌ରିଖ ସ୍ଥିର କରି ପୁନଃ ନିର୍ବାଚନ କରିବାକୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଦାବି କରିଛନ୍ତି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ କହିଛନ୍ତି ଓଡ଼ିଶାର ୧୩ଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭବ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ନିର୍ବାଚନ ବାତିଲ୍‌ କରିବା ଶାସକ ଦଳର ଏକ ଷଡ଼ଯନ୍ତ୍ର। ପୂର୍ବରୁ ପ୍ରାୟ ୫୦ କ୍ୟାମ୍ପସରେ ବୋମା ପକାଯାଇ ନିର୍ବାଚନ ବନ୍ଦ କରାଯାଇଥିଲା। କ୍ୟାମ୍ପସରେ ଏବିଭିପିର ବଢ଼ୁଥିବା ସମର୍ଥନକୁ ଡ଼ରି ଏଭଳି ନିଷ୍ପତ୍ତି ନିଆଯାଇଥିବା ମନେ ହେଉଛି। କ୍ୟାମ୍ପସରେ ଗଣତନ୍ତ୍ର ବଜାୟ ରଖିବା ପାଇଁ ପୁନଃ ତାରିଖ ଘୋଷଣା କରାଯାଇ ନିର୍ବାଚନ କରାଯାଉ।

ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି ଯେ ଏବିଭିପି ଯେଉଁ ଅଭିଯୋଗ ଆଣୁଛି ତାହା ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ। କଲେଜ କ୍ୟାମ୍ପସରେ ସେମାନଙ୍କର ସ୍ଥିତି ହିଁ ନାହିଁ। ନିର୍ବାଚନ ବନ୍ଦ ହେବା ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ। ବାତ୍ୟାକୁ ନେଇ ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତାହାକୁ ଆଖିରେ ରଖି ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଭଲ ପଦକ୍ଷେପ ନିଆଯାଇଛି। ଏହି ବାତ୍ୟାରେ ଯଦି ସେଭଳି ଭୟଙ୍କର ପରିସ୍ଥିତି ନ ଉପୁ‌େଜ ତେବେ ଆଉଥରେ ତାରିଖ ଘୋଷଣା କରାଯାଇ ନିର୍ବାଚନ କରାଯାଉ।

ଛାତ୍ର କଂଗ୍ରେସ ଉପଦେଷ୍ଟା ଇତିଶ୍‌ ପ୍ରଧାନ କହିଛନ୍ତି ଯେ ବାତ୍ୟାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ହେବ। ତେଣୁ ଯେଉଁ ଜିଲ୍ଲା ପ୍ରଭାବିତ ହେବ ତାହାକୁ ଛାଡ଼ି ଅନ୍ୟ ଜିଲ୍ଲାରେ ନିର୍ବାଚନ କରାଯାଇଥିଲେ ଭଲ ‌େହାଇଥାନ୍ତା। ତଥାପି ଏବେ ସୁଯୋଗ ରହିଛି। ଦଶହରା ପରେ ପୁଣିଥରେ ଏକ ତାରିଖ ଘୋଷଣା କରାଯାଇ ସେଦିନ ନିର୍ବାଚନ କରାଯାଉ।

ସମ୍ବନ୍ଧିତ ଖବର